ମଉଳିଲା ନୂଆ ବର୍ଷ ମସ୍ତି: ଓଡ଼ିଶାରେ ଲାଗିବ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର: ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ହେବନି ଜିରୋ ନାଇଟ୍ ସେଲିବ୍ରେସନ୍। ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା ହୋଇଥିବା ବେଳେ ଏବେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ।
ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି। ଏହାସହ ନାଇଟ୍ କର୍ଫ୍ୟୁ ପାଇଁ ସହଯୋଗ କରିବାକୁ SRC ନିବେଦନ କରିଛନ୍ତି। ତେବେ ଏହି ସମୟରେ ସବୁ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି SRC ସ୍ପଷ୍ଟ କରିଛନ୍ତି।
ତେବେ ନାଇଟ୍ କର୍ଫ୍ୟୁରେ ଯା’ଆସ ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ଅନୁମତି ମିଳିବ। ଗଣମାଧ୍ୟମ କର୍ମଚାରୀମାନେ ନାଇଟ କର୍ଫ୍ୟୁରେ ଯା’ଆସ କରିପାରିବେ। ଉଭୟ ପ୍ରିଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରତିନିଧିମାନେ ଯା’ଆସ କରିପାରିବେ। ଡ୍ୟୁଟି ପାଇଁ ଗଣମାଧ୍ୟମ କର୍ମଚାରୀଙ୍କୁ ଯା’ଆସ ଅନୁମତି ରହିଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ଅଞ୍ଚଳରେ(ବିଏମ୍ସି) ଜିରୋ ନାଇଟ୍ ସେଲିବ୍ରେସନ୍ ବାରଣ ନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲ, କ୍ଲବ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ। ଏପରିକି ଅନ୍ୟ କୌଣସି ସ୍ଥାନରେ ଅଧିକ ଲୋକ ସମାଗମ ହେବା ମଧ୍ୟ ବାରଣ ହୋଇଛି। ନିଜ ଘରେ ପରିବାର ସଦସ୍ୟଙ୍କ ସହ ନୂଆବର୍ଷ ପାଳନ କରିବାକୁ ଅନୁରୋଧ କରାଯାଇଛି।
ଏହାସହ ଜିରୋ ନାଇଟ୍ ସେଲିବ୍ରେସନ୍ ଭିଡ଼ ଏଡ଼ାଇବାକୁ କଟକ, ଭୁବନେଶ୍ୱରରେ ଆଜି ୧୪୪ ଧାରା ଜାରି ହେବ। ଆଜି ପ୍ରେସ୍ମିଟ୍ରେ ଏନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ବ୍ରିଟେନରେ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ସଂକ୍ରମଣ ଭାରତରେ ମିଳିବା ପରେ ମହାନଗରୀରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ନୂଆବର୍ଷକୁ ସ୍ୱାଗତ କରିବା ଲାଗି ମହାନଗରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ହେବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ସ୍ଥାନୀୟ ପ୍ରଶାସନ।
କେବଳ ଏତିକି ନୁହେଁ, ମହାରାଷ୍ଟ୍ର ସରକାର ରାଜ୍ୟରେ ଜାନୁଆରୀ ୩୧ ଯାଏ ଲକ୍ଡାଉନ୍କୁ ବଢ଼ାଇଛନ୍ତି। ତା’ ସହିତ ରାଜ୍ୟର ସମସ୍ତ ମ୍ୟୁନିସିପାଲଟି ଅଞ୍ଚଳରେ ଜାନୁଆରୀ ୫ ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ତେବେ ନୋଏଡ଼ା ମହାନଗର ନିଗମ ପ୍ରଶାସନ ଗୋଟିଏ ସ୍ଥାନରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଛନ୍ତି। ହେଲେ ବେଙ୍ଗାଲୁରୁ ମହାନଗର ନିଗମ କର୍ତ୍ତୃପକ୍ଷ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ଚେନ୍ନାଇର ମାରିନା ବିଚ୍କୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରଖାଯାଇଛି।