ଶେଲ୍‌ଟର ହୋମ୍‌ ବିବାଦ: କାଠଗଡ଼ାରେ ରାଜ୍ୟ ସରକାର

ଭୁବନେଶ୍ୱର: ଢେଙ୍କାନାଳ ବେଲଟିକିରି ଶେଲ୍ଟର୍‌ ହୋମ୍ କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଏହି କେଳେଙ୍କାରୀର ଖଳନାୟକ ଫୟେଜ ରେହମାନଙ୍କ ନାଁରେ ନିରୀହ ନାବାଳିକା ଓ ଯୁବତୀଙ୍କ ଧର୍ମପରିବର୍ତ୍ତନ ଅଭିଯୋଗର ତଦନ୍ତ ହେବ ବୋଲି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି।

ରାଜ୍ୟର ବିଭିନ୍ନ ଜାଗାରେ ଥିବା ଗୁଡ ନ୍ୟୁଜ୍‌ ଇଣ୍ଡିଆର ସେଲ୍ଟର ହୋମ୍‌ ଗୁଡିକରେ ଚଢ଼ଉ ଚାଲିଛି। ଏହି ଚଢ଼ଉ ବେଳେ ଶାଖା ଗୁଡିକ ମଧ୍ୟ ବେଆଇନ ଭାବେ ଚାଲୁଥିବା ତଥ୍ୟ ପଦାକୁ ଆସିଛି। ଆଜି ଢେଙ୍କାନାଳ ପୁଲିସ ଫୟେଜକୁ ଦୁଇଦିନିଆ ରିମାଣ୍ଡରେ ନେଇଛି।

ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆଜି ରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେପି ମଧ୍ୟ ଧର୍ମପରିବର୍ତ୍ତନ ଘଟଣା ପାଇଁ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି।

ଶେଲ୍ଟର୍‌ ହୋମ୍‌ କେଳେଙ୍କାରୀକୁ ନେଇ ଆଜି ଦିନଟି ବେଶ ସରଗରମ ଥିଲା। ଡାର୍ଟି ଡ୍ୟାଡି ଫୟେଜ ରେହମାନଙ୍କ ଦୁଇଟି ଚେହେରା ଆଗକୁ ଆସିଛି। ଗୋଟିକରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ଚିତ୍ର ତ ଆଉ ଅନ୍ୟଟିରେ ଧର୍ମପରିବର୍ତ୍ତନର ପ୍ରକିୟା।

ଭାଇରାଲ ହୋଇଥିବା ଧର୍ମପରିବର୍ତ୍ତନର ଭିଡିଓକୁ ନେଇ ବିରୋଧୀ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ଅଭିଯୋଗ କରିଛି ସରକାରଙ୍କ ଜାଣତରେ ବେଆଇନ ଭାବେ ଫୟେଜ ଧର୍ମପରିବର୍ତ୍ତନ କରୁଥିଲେ। ତେଣୁ ମନ୍ତ୍ରୀ ଏଥିପାଇଁ ଦାୟୀ।

ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, “ଏ ସରକାର ଓଡ଼ିଆ ଜାତି ପ୍ରତି ବଡ଼ ଷଡ଼ଯନ୍ତ୍ର ରଚିଛନ୍ତି। ଓଡ଼ିଶାରେ କଠୋଣ ଆଇନ୍‌ ଥିବା ସତ୍ତ୍ୱେ କାହା ପୃଷ୍ଠପୋଷକତାରେ ଏଭଳି ସଂସ୍ଥା ଓଡ଼ିଶାରେ ଛତୁ ଫୁଟିଲା ଭଳି ଖୋଲିଛି, ସରକାର ତା’ର ଉତ୍ତର ଦିଅନ୍ତୁ।” ସେହିପରି ଭୁବନେଶ୍ୱରେ ମହିଳା କଂଗ୍ରେସ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, “ଧର୍ମ ପରିବର୍ତ୍ତନ ହେଉଥିବା ନିଶ୍ଚିତ। ପ୍ରଫୁଲ୍ଲ ସାମଲ ନିଜେ ଇସ୍ତଫଶ ଦିଅନ୍ତୁ। ନହେଲେ ଆଗାମୀ ଦିନରେ ଶହ ଶହ ସଂଖ୍ୟାରେ ମହିଳା କଂଗ୍ରେସ୍‌ କର୍ମୀ ତାଙ୍କ ଘର ଆଗରେ ଧାରଣା ଦେବେ।”

ଧର୍ମ ପରିବର୍ତ୍ତନ ଭିଡିଓ ଭାଇରାଲ ପରେ ପ୍ରଥମେ କିଛି ଜାଣି ନଥିବା କହୁଥିବା ବିଭାଗୀୟ ମନ୍ତ୍ରୀ ଆଜି କହିଛନ୍ତି ଅଭିଯୋଗ ଆସିଲେ ତଦନ୍ତ ହେବ। ତେବେ ଅଗଷ୍ଟ ମାସରେ ବିହାରର ସେଲ୍ଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଓଡିଶାର ଏଭଳି ନ ହେବା ପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରିଥିଲେ ମନ୍ତ୍ରୀ। ସେତେବେଳେ ମନ୍ତ୍ରୀ କହିଥିଲେ, “ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିହାର, ୟୁପି ପରି ଅଘଟଣ ଏଠାରେ ଯେମିତି ନ ଘଟିବ ସେଥିପ୍ରତି ଦ୍ରୁଷ୍ଟି ରଖିବାକୁ କୁହାଯାଇଛି।

ଏବେ ମନ୍ତ୍ରୀ କହୁଛନ୍ତି, “ସେ ଧର୍ମ ପରିବର୍ତ୍ତନ କରୁଥିଲା କି ନାହିଁ ମୁଁ କେମିତି କହିବି। ଯଦି ଧର୍ମ ପରିବର୍ତ୍ତନ ହେଉଥିବାର ଅଭିଯୋଗ ଆସେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଏପଟେ ଫୟେଜକୁ ଆଜି ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ଗୁଡ ନ୍ୟୁଜ୍‌ ଇଣ୍ଡିଆ ଶାଖା ଗୁଡିକ ଉପରେ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆଜି ଛତ୍ରପୁରରେ ଥିବା ସଂସ୍ଥାର ସେଲ୍ଟର୍‌ ହୋମ୍‌ ଉପରେ  ଚଢ଼ଉ କରିଥିଲା ପ୍ରଶାସନର ଟିମ୍‌। ଚଢ଼ଉ କଲା ବେଳେ ଏହା ବେଆଇନ ଭାବେ ଚାଲୁଥିବା ଜଣାପଡ଼ିଛି। ସେଠାକାର ୧୩୪ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଉଦଳାରେ ଥିବା ସଂସ୍ଥାର ଶାଖାର ମଧ୍ୟ ପଞ୍ଜିକରଣ ଲାଇସେନ୍ସ ୮ ମାସ ପୂର୍ବରୁ ସରିଥିବା ଜଣାପଡ଼ିଛି। ଏଠି ମଧ୍ୟ ୬୧ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଡାକି ଘରକୁ ପଠାଇଦିଆଯାଇଛି।

୨୦୧୭ରେ  ସୁପ୍ରିମ୍‌କୋର୍ଟଙ୍କୁ ସରକାର ଦେଇଥିବା ତଥ୍ୟ ଅନୁସାରେ ମାତ୍ର ତିନୋଟି ଶିଶୁ ସୁରକ୍ଷା ଅନୁଷ୍ଠାନ ପଞ୍ଜିକରଣ ପାଇଁ ଅପେକ୍ଷାରେ ଥିଲେ। ଅର୍ଥାତ ରାଜ୍ୟରେ ଥିବା ଅନ୍ୟ ସବୁ ଅନୁଷ୍ଠାନ ଗୁଡିକୁ ସରାକାରୀ ଅନୁମତି ମିଳିଥିଲା। ବଡ଼କଥା ହେଉଛି ଗୁଡ ନ୍ୟୁଜ୍‌ ଇଣ୍ଡିଆର ୧୫ଟି ଶାଖାର ନାଁ ଖୋଦ ବିଭାଗର ୱେବସାଇଟ୍‌ରେ ଥିଲେ ମଧ୍ୟ ଏଗୁଡିକ ପଞ୍ଜିକରଣ ବୈଧ କି ନୁହେଁ, ତାହା ବିଭାଗର ମନ୍ତ୍ରୀଙ୍କୁ ମାଲୁମ ନାହିଁ।

You might also like