ଭ୍ୟାକ୍ସିନ କମିଟି କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନାର ପ୍ରତିଷେଧକ ପାଇଁ ବିଭିନ୍ନ ସ୍ଥାନରେ ଟିକାର ବିକାଶ କରାଯାଉଥିବା ବେଳେ ଖୁବ୍ ଶୀଘ୍ର ଏହା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଯେଭଳି ଟିକାକରଣ ବ୍ୟବସ୍ଥା ସୁଗମ ହୋଇପାରିବ, ସେ ନେଇ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି। ୨୧ ଜଣିଆ ରାଜ୍ୟସ୍ତରୀୟ ଟିକାକରଣ କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟିକାକରଣ ଅଧିକାରୀ।

ସେହିପରି ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଏବଂ ଏସ୍‌ସିବି ବଡ ମେଡିକାଲର କିଛି ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଏଥିରେ ସଦସ୍ୟ ଭାବେ କାମ କରିବେ।

ରାଜ୍ୟସ୍ତରୀୟ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ପରଖିବ। ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ  ଏଥିରେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଭାବେ କାମ କରିବେ।

ଜିଲ୍ଲା ମୁଖ୍ୟ ହସପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାରେ ଠିକ୍ ଭାବେ ଯେଭଳି ଟିକାକରଣ ହେବ ସେଥିପ୍ରତି ଦୃଷ୍ଟି ଦେବ ଜିଲ୍ଲାସ୍ତରୀୟ କମିଟି।

You might also like