ବାତ୍ୟା ସମୟରେ ଜୁଆର ରୋକିବାକୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

ତିଆରି ହେବ ଲୁଣା ବନ୍ଧ

ଭୁବନେଶ୍ୱର: ସମୁଦ୍ର ଜୁଆରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ। ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ। ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମୀ ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି ସୂଚନା ମିଳିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ପରେ ଏନେଇ ପାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ତେବେ ଆଗରୁ ଏଭଳି ଅନେକ ଯୋଜନା ଫେଲ ମାରିଥିବାରୁ ନୂଆ ଯୋଜନାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ।

ରାଜ୍ୟର ଅନେକ ଅଞ୍ଚଳରେ ବନ୍ଧ ଡେଇଁ ମାଡିଯାଇଛି ଲୁଣାପାଣି। ଲଳିତାପାତିଆ ଓ ତାଳଚୁଆଁରେ ବି ସମାନ ସ୍ଥିତି। ହେଲେ ପେଣ୍ଠ ନିକଟରେ ସିନ୍ଥେଟିକ ବନ୍ଧକୁ ପାର କରି ପାରନି ଅଶାନ୍ତ ସମୁଦ୍ର। ୨୦୧୩ରେ ବିଶ୍ୱବ୍ୟାଙ୍କ ସହାୟତାରେ ପେଣ୍ଠ ସମେତ ୪ ଜିଲ୍ଲାରେ ୫୨ କିଲୋମିଟର ସିନ୍ଥେଟିକ ବନ୍ଧ ନିର୍ମାଣ କରାଯାଇଥିଲା। ତିନି ତିନିଟି ବାତ୍ୟା ସହ୍ୟ କରିଥିଲେ ବି ଏହାର ବିଶେଷ କ୍ଷତି ହୋଇନି। ତେଣୁ ବାତ୍ୟା ସମୟରେ ଜୁଆର ରୋକିବାକୁ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧକୁ ସୁଦୃଢ ପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ।

ଏଥିପାଇଁ ୬ହଜାରରୁ ୭ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ଶହ ୪୪ କୋଟି ଟଙ୍କା ବ୍ୟୟରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀ ଜିଲ୍ଲାରେ ୩୮୦ କିଲୋମିଟର ଉପକୂଳ ବନ୍ଧ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ତେବେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତ ଆଡିବନ୍ଧ ସୁଦୃଢୀକରଣ ଏକମାତ୍ର ସମାଧାନ ନୁହେଁ, ଉପକୁଳ ଅଞ୍ଚଳରେ ବାତ୍ୟା ସହ୍ୟ କରିପାରୁଥିବା ଘର ନିର୍ମାଣ ଉପରେ ବି ସେ ଜୋର ଦେଇଛନ୍ତି।

ଏପଟେ ବାତ୍ୟା ଯୋଗୁଁ ରାଜ୍ୟର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ବାରମ୍ବାର କ୍ଷତିଗ୍ରସ୍ତ ହେଉଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଏହା ଅନ୍ତର୍ଗତ ବାତ୍ୟା ପ୍ରବଣ ଅଞ୍ଚଳରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ କିମ୍ଭା ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଟାଓ୍ୱାର ଲାଇନ ନିର୍ମାଣ ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏଭଳି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ସଂଘ।

କାରଣ ରାଜ୍ୟରେ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ନେଇ ୨୦୧୦ରେ ୨୪ଶହ କୋଟିର କ୍ୟାପେକ୍ସ ଫଣ୍ଡ ଘୋଷଣା କରିଥିଲେ ରାଜ୍ୟ ସରକାର। ୨୦୧୬ ଯାଏଁ ଏଥିରୁ ମାତ୍ର ୯ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ପ୍ରକଳ୍ପ ଅଧାରୁ ବନ୍ଦ ହୋଇଯାଇଥିଲା। ସେହିପରି ନବକଳେବର ସମୟରୁ ପୁରୀ ଏବଂ ବାତ୍ୟା ଫନି ପରେ ଭୁବନେଶ୍ୱର ଓ କଟକରେ ଚାଲିଥିବା ଅଣ୍ଡରଗ୍ରାଉଣ୍ଡ କେବଲିଂ କାମ ଏଯାଏଁ ସରିନାହିଁ। ତେଣୁ ଉପକୂଳ ଜିଲ୍ଲାରେ ବିଦ୍ୟୁତ୍‌ ଉନ୍ନତିକରଣ ଆକାଶ କଇଁଆ ବୋଲି କହିଛନ୍ତି ଉପଭୋକ୍ତା ସଂଘ ସଭାପତି।

ସୋରରୁ ନିରଞ୍ଜନ ବେହେରା, ପଟ୍ଟାମୁଣ୍ଡାଇରୁ ପ୍ରବୀର ନାୟକଙ୍କ ସହ ଭୁବନେଶ୍ୱରରୁ କପିଲେନ୍ଦ୍ର ପ୍ରଧାନ ଓ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ

You might also like