ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା

ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ।

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ଗାଇଡଲାଇନ୍ ଜାରି କରିଥିଲା କମିଶନରେଟ୍ ପୋଲିସ । ଆଜି କଟକ ଡିସିପି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡ୍‌ଲାଇନ୍ ଜାରି କରି କୋଭିଡ୍ କଟକଣା ଭିତରେ କଟକରେ ଦୋଳ, ହୋଲି ଓ ମେଳଣ ଅନୁଷ୍ଠିତ ହେବ ବୋଲି କହିଥିଲେ । ପର୍ବ ପାଳନ ବେଳେ ମେଳଣ ପଡ଼ିଆରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ  ବୋଲି କହିଥିଲେ। ନିଜ ଘରେ ହୋଲି ପାଳିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଜାରି ହୋଇଥିବା ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି। ଆଜି ରାଜ୍ୟରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୬୪ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଆଜି ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୦ କରୋନା ରୋଗୀ।

ଆଜି ସର୍ବାଧିକ କରୋନା ଆକ୍ରାନ୍ତ କଟକରୁ ଚିହ୍ନଟ ହୋଇଛନ୍ତି। କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୫,୯୨୩।  ରାଜ୍ୟରେ ମୋଟ ଆକ୍ଟିଭ କେସ ୭୦୫ ଅଛି।

You might also like