ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଧକ୍କା; ୭ ଆହତ

ଉଦଳା(ମାନସ ପାଣି): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏସ୍କର୍ଟ ଗାଡ଼ି ଧକ୍କା ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଉଦଳାରୁ ବାରିପଦା ଯିବା ରାସ୍ତାର ପୁରୁଣାପାଣି ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଆହତ ୭ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେ ଉଦଳାରେ ଆୟୋଜିତ କାର୍ଯ୍ୟକ୍ରମ ସାରି ମଧ୍ୟାହ୍ନରେ ବାରିପଦା ସର୍କିଟ୍‌ ହାଉସକୁ ଫେରୁଥିଲେ। ପୁରୁଣାପାଣି ନିକଟରେ ରାଜ୍ୟପାଳଙ୍କ ଗାଡ଼ି ପଛରେ ଯାଉଥିବା ଏସ୍କର୍ଟ ଗାଡ଼ି ସମ୍ମୁଖକୁ ଜଣେ ସାଇକେଲ୍‌ ଆରୋହୀ ଚାଲି ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଏସ୍କର୍ଟ ଗାଡ଼ିଟି ବ୍ରେକ୍‌ ମାରିଥିଲା। ତେବେ ତାଙ୍କ ପଛରେ ଆସୁଥିବା ଅନ୍ୟ ଗାଡ଼ିଟି ଆଗ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ୭ ଜଣ ଆହତ ହୋଇଛନ୍ତି।
You might also like