ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତି ଉପରେ ବିଚାରବିମର୍ଶ ଚାଲିଥିବା ବେଳେ ,ବିଶେଷଜ୍ଞଙ୍କ ପରାମର୍ଶ ମାଗିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି। ଏହା ପରେ ଡ୍ରାଫଟ୍ ପଲିସି ଚୂଡାନ୍ତ ହେବ।
ତେବେ ପ୍ରାଥମିକ ସ୍ୱାସ୍ଥ୍ୟ ଚିଠା ନୀତିରେ ରାଜ୍ୟ ସ୍ୱାସ୍ଥ୍ୟସେବାର ଯେଉଁ ବିକଟ ଚିତ୍ର ସାମ୍ନାକୁ ଆସିଛି ତାକୁ ନେଇ ବଢ଼ିଛି ଚିନ୍ତା। ରାଜ୍ୟରେ ମ୍ୟାଲେରିଆ ଓ ଯକ୍ଷ୍ମାର ସ୍ଥିତି ଅତି ଜଟିଳ ବୋଲି ଏଥିରେ କୁହାଯାଇଛି।
ସେହିପରି ଡେଙ୍ଗୁ, ଜାପାନୀ ଜ୍ୱର ଓ ସ୍ୱାଇନ୍ ଫ୍ଲୁ ଭଳି ରୋଗ କାୟା ବିସ୍ତାର କରୁଛନ୍ତି। ତା ସହିତ ପୁଷ୍ଟିହୀନତା ଓ ରକ୍ତହୀନତା ଉତ୍କଟ ରୂପ ଧାରଣ କରିଛି। ତେବେ ରୋଗୀଙ୍କ ଚିକିତ୍ସା ଲାଗି ଭିତ୍ତିଭୂମି ଓ ବିଶେଷଜ୍ଞଙ୍କର ଘୋର ଅଭାବ ରହିଥିବା ଚିଠା ନୀତିରେ କୁହାଯାଇଛି। ୮୬ ପ୍ରତିଶତ ମେଡିସିନ୍ ସ୍ପେଶାଲିଷ୍ଟ, ୮୦ ପ୍ରତିଶତ ଶିଶୁରୋଗ , ୭୯ ପ୍ରତିଶତ ସର୍ଜରୀ, ୬୨ ପ୍ରତିଶତ ସ୍ତ୍ରୀରୋଗ ବିଶେଷଜ୍ଞ ପଦ ଖାଲି ରହିଛି।
ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡ୍ଲାଇନ ଅନୁସାରେ ପ୍ରତି ୧୦ ହଜାର ଲୋକଙ୍କ ମଧ୍ୟରେ ୨୩ଜଣ ସ୍ୱାସ୍ଥ୍ୟକର୍ମୀ ରହିବା କଥା, ମାତ୍ର ଓଡ଼ିଶାରେ ଅଛନ୍ତି ୧୦। ରାଜ୍ୟରେ ସ୍ୱାସ୍ଥ୍ୟସେବା ସ୍ଥିତି ଭୁଶୁଡି ପଡିଥିବା ବେଳେ ସରକାର ଆଣୁଥିବା ନୂଆ ସ୍ୱାସ୍ଥ୍ୟ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ।
ଗରିବଙ୍କ ନିକଟରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ନିରାମୟ ଭଳି ଅନେକ ଯୋଜନା କରିଛନ୍ତି। ତେବେ ରାଜ୍ୟ ସ୍ୱାସ୍ଥ୍ୟାବସ୍ଥାର ଚିତ୍ର କେତେ ଦୟନୀୟ ତାହା ଜଳଜଳ ହୋଇ ଦିଶୁଛି।
ଏଣୁ ନୂଆ ସ୍ୱାସ୍ଥ୍ୟନୀତି ଏଥିରେ କି ପରିବର୍ତ୍ତନ ଆଣିପାରିବ ଏବେ ତାକୁ ଅପେକ୍ଷା।