ଭ୍ୟାକ୍ସିନ ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟିକା ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜ୍ୟରେ ଟିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଚିଠିରେ କୁହାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACS ଏହି ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠିରେ ଦର୍ଶାଯାଇଛି। ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ଥିବା ବେଳେ ଜୁନ, ଜୁଲାଇ, ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ରହିଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ସେହିଭଳି ମେ’ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଦେବାକୁ ଚିଠି ଲେଖିଛନ୍ତି ACS। ବାକି ୫.୩୪ ଲକ୍ଷ ଡୋଜ୍ ଜୁନ୍ ୧୫ ସୁଦ୍ଧା ଦେବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ଗୁରୁବାର ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ଜାରି ରହିଥିବା ସୂଚନା ମିଳିଛି। ଗୁରୁବାର ୩୦୨ କେନ୍ଦ୍ରରେ ଟିକାକରଣ ଚାଲିଛି।  ବୁଧବାର ୯୦ ହଜାର ଟିକା ଆସିଥିଲା, ସବୁ ଜିଲ୍ଲାକୁ ଏହା ଦିଆଯିବ ବୋଲି କୁହାଯାଇଛି। ବୁଧବାର ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ ଜଣ ଟିକା ନେଇଛନ୍ତି।

ତେବେ ରାଜ୍ୟରେ ଫ୍ଲାଟେନିଂ କର୍ଭରେ ରହୁଛି ସଂକ୍ରମଣର ସ୍ଥିତି। ଏନେଇ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ତାଙ୍କ କହିବା ଅନୁସାରେ କୋଭିଡ ସ୍ଥିତି ଏବେ ସମାନ୍ତରାଳ ଭଳି ରହୁଛି। କେତେବେଳେ ଉପରେ ତ ଆଉ କେତେବେଳେ ଡ଼ାଉନ ସ୍ଥିତିରେ ବି ରହୁଛି। ବୁଧବାର ୮ ହଜାର ଉପରେ ପଜିଟିଭ ରହିଥିବା ବେଳେ ଗୁରୁବାର ଏହା ୭ ହଜାର ଭିତରେ ରହିଛି। ଏଥିପାଇଁ ଡରିବା ଆବଶ୍ୟକ ନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ କମ୍ ରହିଥିବା କହିଛନ୍ତି ସିବିକେ ମହାନ୍ତି। କରୋନା ହୋଇ ଅନ୍ୟ ରୋଗରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ସେ ସୂଚନା ଦେଇଥିବା ବେଳେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଆଶ୍ୱାସନା ମଧ୍ୟ ଦେଇଛନ୍ତି।

You might also like