ଚଳୁ ହେବନି ସରକାରୀ ଧନ; ବଦଳିବ ଜଙ୍ଗଲ ବିଭାଗ ନିୟମ
ଭୁବନେଶ୍ୱର: ସଂଶୋଧିତ ହେବ ରାଜ୍ୟ ଜଙ୍ଗଲ ବିଭାଗ ନିୟମ। ଏବେ ଆଉ ବନ ବିଭାଗ କର୍ମଚାରୀମାନେ ପାଣ୍ଠି ବିନିଯୋଗ କରି କାମ କରିବେ ନାହିଁ। ବନ ବିଭାଗ ଅଧିନରେ ହେଉଥିବା ସମସ୍ତ କାମ ପାଇଁ ଟେଣ୍ଡର କରାଯିବ। ରାଜ୍ୟ ସରକାରଙ୍କ ‘ଫାଇଭ୍ ଟି’ ମନ୍ତ୍ରକୁ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏହି ପରିବର୍ତ୍ତନ କରାଯିବ। ସରକାରଙ୍କ ତରଫରୁ ଆସୁଥିବା ଅନୁଦାନର ଖର୍ଚ୍ଚରେ ସ୍ୱଚ୍ଛତା ଆଣିବାକୁ ଏହି ନିୟମ ଆସିବ।
ନୂଆ ନିୟମ ଅନୁଯାୟୀ ଟେଣ୍ଡର ମାଧ୍ୟମରେ ସମସ୍ତ କାମ କରାଯିବ। ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜଧାନୀ ଉପକଣ୍ଠ ଶ୍ୟାମସୁନ୍ଦରପୁରରେ ଜଙ୍ଗଲ ଏକାଡେମୀ ପ୍ରତିଷ୍ଠା କରାଯିବ। ୭ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି ଏକାଡେମୀ ନିର୍ମାଣରେ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ୫ କୋଟି ଟଙ୍କାର ଅନୁଦାନ ଦେବେ।
ବନ୍ୟଜନ୍ତୁଙ୍କ ମୃତ୍ୟୁ ବର୍ତ୍ତମାନ ସମୟରେ ଉଦ୍ବେଗର କାରଣ ସାଜିଛି। ଏଥିସହିତ ଜନ୍ତୁ-ମଣିଷ ବିବାଦ ମଧ୍ୟ ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି। ଏଭଳି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ସୂଚନା ଦେଇଛନ୍ତି।
ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଜୈବ ବିବିଧତା ରକ୍ଷା କରାଯାଇପାରିବ। ସେଥିପାଇଁ ବିଭିନ୍ନ ଡିଭିଜନ୍ ଡିଏଫ୍ଓ ସେମାନଙ୍କ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ। ହାତୀଙ୍କ ଗତିବିଧି ସମ୍ପର୍କରେ ସଠିକ୍ ତଥ୍ୟ ପାଇଁ ଜିପିଏସ୍ ମାଧ୍ୟମରେ ଏକ ଆପ୍ ପ୍ରସ୍ତୁତ କରି, କିପରି ମୃତ୍ୟୁହାର କମାଯାଇ ପାରିବ ସେ ନେଇ ତଥ୍ୟ ରଖିଥିଲେ। ଅନୁଗୋଳ ଡିଏଫ୍ଓ ଭି. କାର୍ତ୍ତିକ ସେହିଭଳି ବନବିଭାଗର ଏକ ସ୍ୱତନ୍ତ୍ର ସାଇବର କ୍ରାଇମ୍ ସେଲ୍ କରିବା ଉପରେ ମତ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଅନ୍ଲାଇନ୍ ଟିମ୍ବର ଟ୍ରାନ୍ଜିଟ୍ ପରମିଟ୍ ସିଷ୍ଟମ୍କୁ ଲୋକାର୍ପିତ କରାଯାଇଥିଲା।