ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ଲୋଭନୀୟ ସ୍କିମ୍ର ଭେଟି
ଭୁବନେଶ୍ୱର : ଅଗଷ୍ଟ ୧୫ରୁ ରାଜ୍ୟରେ ଅାରମ୍ଭ ହେବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ୩ କୋଟି ୫୦ ଲକ୍ଷ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ପାଇଁ ସରକାର ଦେବେ ସ୍ୱାସ୍ଥ୍ୟ ସହାୟତା। ଖର୍ଚ୍ଚ ହେବ ପାଖାପାଖି ୫୦୦ କୋଟି। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା ହୋଇନି। କେଉଁଠୁ ଟଙ୍କା ଅାସିବ ତାହା ବି କହିନାହାଁନ୍ତି ସରକାର। ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅକ୍ଟୋବର ୨ରୁ ହେବ ଲାଗୁ।
୨୫ ଲକ୍ଷ ଲୋକଙ୍କୁ ଟଙ୍କାକରେ ଚାଉଳ ଦେବେ ସରକାର। ରାଜ୍ୟ ରାଜକୋଷରୁ ଭରଣା ହେବ ୬ ମାସକୁ ୨୨୦ କୋଟି ଟଙ୍କା। ଏଥିପାଇଁ ବଜେଟରେ ହୋଇନି ବ୍ୟବସ୍ଥା। ଗ୍ରୀନ୍ ମହାନଦୀ ମିଶନରେ ମହାନଦୀ କୁଳେ କୁଳେ ଗଛ ଲଗାଇବା ପାଇଁ ୫ ବର୍ଷରେ ୫୦୦ କୋଟି ଖର୍ଚ୍ଚ ପାଇଁ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଯୋଜନାକୁ ଉଦଘାଟନ କରିସାରିଲେଣି।
ବର୍ଷକୁ ୧୦୦ କୋଟି ହିସାବରେ ଖର୍ଚ୍ଚ ହେବ। କିନ୍ତୁ ଟଙ୍କା କେଉଁଠୁ ଅାସିବ ଜଣା ନାହିଁ। ଯୋଜନା ଜାଗା ମାଧ୍ୟମରେ ୨୫ ହଜାର ବସ୍ତିର ୧୦ ଲକ୍ଷ ଲୋକଙ୍କୁ ମାଗଣାରେ ଜମି ଦେବେ ସରକାର। ଭୁବନେଶ୍ୱରରେ ଫ୍ଲାଟ ବି ଦେବା ନେଇ ଘୋଷଣା ହୋଇଛି। ଏଥିପାଇଁ କିନ୍ତୁ କେତେ ଖର୍ଚ୍ଚ ହେବ ତାର ହିସାବ ଦେଇନାହାଁନ୍ତି ସରକାର। ଅର୍ଥ ମନ୍ତ୍ରୀ କିନ୍ତୁ କହୁଛନ୍ତି ଯେଉଁ ଯୋଜନା ପାଇଁ ମୂଳ ବଜେଟରେ ବ୍ୟବସ୍ଥା ନାହିଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହେବ।
ଏପଟେ ଯୋଜନା ଚାଲୁ ରଖିବା ପାଇଁ ସରକାର ଖୋଲା ବଜାରରୁ ଋଣ ଉଠାଇବାରେ ବ୍ୟସ୍ତ। ଚଳିତ ଅାର୍ଥିକ ବର୍ଷ ଅାରମ୍ଭରୁ ପ୍ରତି ମାସରେ ୧ ହଜାର କୋଟି ଲେଖାଁଏ ଋଣ କରୁଛନ୍ତି ସରକାର। ରାଜ୍ୟର ଋଣ ଭାର ଏ ବର୍ଷ ଶେଷ ସୁଦ୍ଧା ୯୩ ହଜାର କୋଟି ଟଙ୍କା ଟପିବ ବୋଲି ଅାକଳନ କରୁଛନ୍ତି ବିଶେଷଜ୍ଞ। ଏଭଳି ସ୍ଥିତିରେ ଲୋଭନୀୟ ଯୋଜନା ଘୋଷଣାକୁ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ। ବିରୋଧୀ ମଧ୍ୟ ସମାନ ଢଙ୍ଗରେ ବର୍ଷିଛନ୍ତି।
ସାଧାରଣ ନିର୍ବାଚନ ଲାଗି ଅାଚରଣବିଧି ଲାଗୁ ପୂର୍ବରୁ ଅାହୁରି ବି ଅାକର୍ଷଣୀୟ ଯୋଜନା ଘୋଷଣା କରିପାରନ୍ତି ସରକାର। ତେବେ ପ୍ରଶ୍ନ, ଅର୍ଥ ସାମର୍ଥ୍ୟ କଥା ଚିନ୍ତା ନ କରି କେବଳ ଯୋଜନା ଘୋଷଣା ନିର୍ବାଚନ ପରେ ରାଜ୍ୟର ଅାର୍ଥିକ ଅବସ୍ଥାକୁ ବିଗାଡ଼ିଦେବନି ତ ।