ଭାଗଚାଷୀଙ୍କ ପାଇଁ ନିୟମ କୋହଳ କଲେ ସରକାର

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାଗଚାଷୀଙ୍କ ପାଇଁ ନିୟମ କୋହଳ କଲେ ସରକାର। ଜମିମାଲିକ କିମ୍ବା ସରପଞ୍ଚର ଅନୁମତି ପତ୍ର ନଥିଲେ ବି ଭାଗଚାଷୀ ନାଁ ପଞ୍ଜୀକରଣ କରିପାରିବ। କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏ ନେଇ ସବୁ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଓ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ୍‌ ସେକ୍ରେଟାରୀଙ୍କୁ ଚିଠି ଲେଖିଛନ୍ତି।

ଚାଷୀ ପଞ୍ଜୀକରଣ ପ୍ରକିୟା ପଛେଇ ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଖରିଫରେ ଧାନ କିଣିବା ପାଇଁ ରାଜ୍ୟର ୨୫ ଶହ ପ୍ରାଥମିକ କୃଷି ସମବାୟ ସମିତି, ପାକ୍ସ ମଧ୍ୟରୁ ୬୯୧ ପାକ୍ସ ଏପର୍ଯ୍ୟନ୍ତ ଚାଷୀଙ୍କ ନାଁ ପଞ୍ଜୀକରଣ ପ୍ରକିୟା ଅାରମ୍ଭ କରିନାହାଁନ୍ତି।

ଗତବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଚାଷୀଙ୍କୁ ପଞ୍ଜିକୃତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ମାତ୍ର ୧ପ୍ରତିଶତ ନୂଅା ଚାଷୀ ଏବେ ସୁଦ୍ଧା ନାଁ ପଞ୍ଜୀକରଣ କରିଛନ୍ତି। ପୂର୍ବଥର ନାଁ ପଞ୍ଜୀକରଣ କରିଥିବା ୧୧ ପ୍ରତିଶତ ଚାଷୀ ନାଁ ନବୀନକରଣ କରାଇଛନ୍ତି। ତେବେ ଟାର୍ଗେଟ ଅନୁସାରେ ଚାଷୀଙ୍କ ନାଁ ପଞ୍ଜିକୃତ ହେଉ ନଥିବାରୁ ଏଥିରେ ଖିଲାପ କରୁଥିବା ପ୍ୟାକ୍ସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଚେତାବନୀ ଦେଇଛନ୍ତି।

ଗତବର୍ଷ ଖରିଫ ପାଇଁ ୧୧ ଲକ୍ଷ ୨୦ ହଜାର ଚାଷୀ ନାଁ ପଞ୍ଜୀକରଣ କରିଥିଲେ। ଏଥର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୨ ହଜାର ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି। ସେପେମ୍ବର ୧୫ ପର୍ଯ୍ୟନ୍ତ ଏହି ପ୍ରକିୟା ଚାଲିବ। ତେବେ ଚାଷୀଙ୍କୁ ଋଣ ଦେବା ସହ ସେମାନଙ୍କ ପାଇଁ ଥିବା ସୁବିଧା ବିଷୟରେ ଅବଗତ ପାଇଁ ସରକାର କୋଅପରେସନ ଅାଟ୍‌ ୟୋର ଡୋର  ଷ୍ଟେପ୍‌ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ତେବେ ତା ସତ୍ତ୍ୱେ ଜିଲ୍ଲା ସ୍ତରରେ ଭାଗଚାଷୀଙ୍କ ପାଇଁ ସରକାରଙ୍କ ଏ ବାର୍ତ୍ତା ବୋଧହୁଏ ପହଁଞ୍ଚିପାରିନି। ଏବେ ଚାଷ କାମ ଛାଡି ନାଁ ପଞ୍ଜୀକରଣ କରିବାକୁ ଚାହୁଁ ନାହାଁନ୍ତି ଚାଷୀ।

ଏଥର ଖରିଫ୍‌ର ଚାଷୀ ପଞ୍ଜୀକରଣ ପାଇଁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପଞ୍ଜିକୃତ କରିବାକୁ ଗତ ଜୁଲାଇ ୨୮ରେ ବିଭାଗର ସଚିବଙ୍କୁ ଚିଠି ଦେଇଥିଲେ ମନ୍ତ୍ରୀ। ଏଥିପାଇଁ ପାକ୍ସ ଲ୍ୟାମ୍ପସ ସମବାୟ ବ୍ୟାଙ୍କ୍‌ , ବ୍ଲକ୍‌ ତହସିଲ ଓ ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସ୍‌ରେ ବ୍ୟାନର ଓ ବୋର୍ଡ ଲଗାଇ ଚାଷୀଙ୍କ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like