ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା ବିଭାଗ ଚେତାବନୀ ଦେଇଛି। କିଛି ଜିଲ୍ଲାରେ ଟିକାଦାନ ହାର କମ୍ ଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ତେବେ ଏହା ପୂର୍ବରୁ ଟିକା ନନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ କଟକ ଜିଲ୍ଲାପାଳ।
ସେପଟେ ଆସନ୍ତାକାଲିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ କୋଭିଡ୍ ଟିକା। ପୋଲିସ ଡିଜିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଏବଂ ବରିଷ୍ଠ ଅଧିକାରୀମାନେ କରୋନା ଟିକା ନେବାକୁ କୁହାଯାଇଛି। ବରିଷ୍ଠ ଅଧିକାରୀମାନେ ଟିକା ନେବା ବେଳର ଫଟୋ ଟ୍ୱିଟରେ ଅପଲୋଡ୍ କରିବେ ବୋଲି ମଧ୍ୟ ସୂଚନା ରହିଛି। ଏହାଦ୍ୱାରା ଲୋକେ ସଚେତନ ହେବା ସହ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବଢିବ। ଆସନ୍ତାକାଲିଠାରୁ ଗୃହ, ନଗର ଉନ୍ନୟନ ବିଭାଗ ଓ ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ କରାଯିବ ବୋଲି ଜଣାପଡ଼ିଛି। ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀକେନ୍ଦ୍ରରେ ଟିକା ଦିଆଯିବ। ସେଥିପାଇଁ ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଥିବା କହିଛନ୍ତି ବିଏମ୍ସି କମିଶନର।