କୋଭିସିଲ୍‌ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର: ଗତକାଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍‌ଡ ପହଞ୍ଚିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ। କମ୍ପାନୀ ପକ୍ଷରୁ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି।

କୋଭାକ୍ସିନ ଭାରତ ବାୟୋଟେକ୍ ଓ ICMR ଦ୍ୱାରା ପ୍ରସ୍ତୁତ ଟିକା ପହଞ୍ଚିବା ପରେ କରୋନା ମୁକାବିଲା ପାଇଁ ଆଶାର କିରଣ ଦେଖା ଦେଇଛି।  ତେବେ କୋଭିସିଲ୍‌ଡ ୩୦ଟି ଜିଲ୍ଲାକୁ ପଠାଯିବ। କିନ୍ତୁ ଭୁବନେଶ୍ୱର ମହାନଗରରେ କୋଭାକ୍ସିନ ଦିଆଯିବ ବୋଲି କୁହାଯାଇଛି।

ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଭୁବନେଶ୍ୱରରେ ଆସି ପହଞ୍ଚିଛି। ଟିକାକୁ ରାଜ୍ୟ ଭକ୍ସିନ ସେଣ୍ଟରରେ ରଖାଯାଇଛି । ଭାରତ ବାୟୋଟେକ, ଆଇସିଏମଆର ଓ ଏନ୍ଇଆଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ କରୋନା ଟିକା।  ଆଜି ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକର ମାନୁଫାକଚରିଂ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା ଏହାପରେ ସେଠାରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆସିଥିଲା।

କୋଭାକ୍ସିନ ବିମାନବନ୍ଦରରେ ପହଞ୍ଚିବା ପରେ ଛୋଟ ଛୋଟ ଭ୍ୟାନରେ ରାଜ୍ୟ ଭ୍ୟାକସିନ ସେଣ୍ଟରକୁ ଅଣାଯାଇଛି । ଏହା ପୂର୍ବରୁ ଗତକାଲି ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା ପରେ ରାଜ୍ୟ ଟିକା କେନ୍ଦ୍ରରୁ ଜିଲ୍ଲାର ଟିକାକେନ୍ଦ୍ରକୁ ଟିକା ପଠାଯାଉଛି।

ସୂଚନାଥାଉ କି,  ଆସନ୍ତା ଶନିବାର ୧୬ ତାରିଖ ଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ ହେବ। ଏଥିପାଇଁ ୧୬୦ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ଏହାମଧ୍ୟରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍ ହସପିଟାଲ୍‌ରେ ଟୁ ୱେ କମ୍ୟୁନିକେସନ୍‌ ରହିବ। ଅର୍ଥାତ ଏ ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇ ପାରିବେ। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି।

ଗତକାଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍‌ଡ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପୁରୀ, କଟକ, ନୟାଗଡ଼ ସମେତ କିଛି ଜିଲ୍ଲାରେ ପହଞ୍ଚି ସାରିଛି। ପୁରୀରେ ଜିଲ୍ଲା ଟିକା ଭଣ୍ଡାରରେ ରଖାଯାଇଛି ଭାକ୍ସିନ୍। ପୁରୀରେ ୧୦ ହଜାର ୭ ଶହ କୋଭିଡ୍ ଯୋଦ୍ଧାଙ୍କୁ ଭ୍ୟାକ୍‌ସିନ୍‌ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୭ ହଜାର ଭ୍ୟାକ୍‌ସିନ୍‌ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଭ୍ୟାକ୍‌ସିନ୍‌ ଅଣାଯିବ ବୋଲି ଏଡିଏମ୍ କହିଛନ୍ତି।

ସେହିପରି କଡ଼ା ସୁରକ୍ଷା ଭିତରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟିକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି କୋଭିସିଲ୍‌ଡ‌। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼କୁ ମିଳିଛି ୪ ହଜାର ଟିକା।

ଆହୁରି ପଢନ୍ତୁ :

ସାବଧାନ! ପ୍ରଥମେ ଟିକା ଦେବା କଥା କହି ଠକୁଛନ୍ତି ସାଇବର ଠକ

ପ୍ରଥମ ପର୍ଯ୍ୟାୟରେ ଆଜି କୋଭିସିଲ୍ଡର ୪ଲକ୍ଷ ୮ହଜାର ଡୋଜ୍ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି “ଆଜି ଯେଉଁ ଭ୍ୟାକ୍ସିନ୍ ଆସିଛି ୪ ଲକ୍ଷ ୮ ହଜାର ଡୋଜ୍ ରହିଛି। ଏଥିରେ ଦୁଇ ଲକ୍ଷ ୪ ହଜାର ଲୋକଙ୍କର ଫାଷ୍ଟ ଡୋଜ୍ ହେବ। ତେବେ ଦୁଇ ଲକ୍ଷ ୪ ହଜାର ଜାଗାରେ ପ୍ରକୃତରେ ଏକ ଲକ୍ଷ ୯୧ ହଜାର ଲୋକ ହେବେ। ଏସବୁ ଭିତରେ ଯେଉଁ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ଅଧିକ ଥିବା ସେମାନଙ୍କୁ ଅଧିକ ଗୁରୁତ୍ୱ  ଦେବୁ ଓ କରୋନା ପ୍ରବଣ ସ୍ଥାନଗୁଡ଼ିକୁ ଆଗ କଭର କରାଯିବ।”

ପ୍ରଥମ ଡ଼ୋଜରେ ୫୦ ପ୍ରତିଶତ ବ୍ୟବହାର କରାଯିବ। ଦ୍ୱିତୀୟ ଡୋଜ ପାଇଁ ରଖାଯିବ ୫୦ ପ୍ରତିଶତ। ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ଆଗ ଟିକା ମିଳିବ। ପ୍ରାଥମିକ ହସ୍‌ପିଟାଲକୁ ସବା ଶେଷରେ ଟିକା ମିଳିବ ବୋଲି ନିଷ୍ପତ୍ତି ହୋଇଛି।

 

You might also like