୧୫୦ ତମ ଗାନ୍ଧି ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ।
ଏହି କ୍ରମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମାହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ପୂର୍ତ୍ତି ପାଇଁ ୨ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅକ୍ଟୋବର୍‌ ୨ରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଫିସ୍‌ରେ ଜୟନ୍ତୀ ପାଳନ ହେବ। ଏଥିସହିତ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଚିହ୍ନଟ ହେବ।

ଗାନ୍ଧିଙ୍କ ପ୍ରଥମ ଆଗମନ ସ୍ମାରକୀ ସ୍ୱରୂପ ମାର୍ଚ୍ଚ ୨୩ତାରିଖରେ କଟକରେ ଉତ୍ସବ ପଳନ ହେବ। ପ୍ରତି ଜିଲ୍ଲା ସଦର ମହକୁମା, ବାପୁ ଅବସ୍ଥାନ କରିଥିବା ସ୍ଥାନ ଗୁଡ଼ିକରେ ପ୍ରତିମୂର୍ତ୍ତି ନିର୍ମାଣ ହେବ। ଯୁକ୍ତ ଦୁଇ ପାଠ୍ୟକ୍ରମରେ ଗାନ୍ଧିଙ୍କ ଜୀବନାଦର୍ଶ ସଂପର୍କିତ ଲେଖା ସ୍ଥାନିତ ହେବ। ପ୍ରତି ଜିଲ୍ଲାର ଏକ ପ୍ରମୁଖ ରାସ୍ତାକୁ ମହାତ୍ମା ଗାନ୍ଧିଙ୍କ ନାଁରେ ନାମିତ କରାଯିବ। ଆସନ୍ତା ବର୍ଷ ରାଜ୍ୟ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ହେବ ବୋଲି ନିଷ୍ପତ୍ତି ହୋଇଛି।

ଏହି ପ୍ରସ୍ତୁତି ବୈଠକରେ ବିରୋଧୀଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ବହୁ ସ୍ୱଧୀନତା ସଂଗ୍ରାମୀ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।

You might also like