ଆନ୍ଧ୍ର ସରକାରଙ୍କ ବିରୋଧରେ ପୁଣି ସୁପ୍ରିମ୍‌କୋର୍ଟ ଗଲା ଓଡ଼ିଶା

ଭୁବନେଶ୍ୱର: କୋଟିଆ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଓଡ଼ିଶା। କୋଟିଆରେ ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡ଼ିଶା ପକ୍ଷରୁ ଇଞ୍ଜକସନ୍ ଦାୟର କରାଯାଇଛି। ପୂର୍ବରୁ ଏନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାଳେ ଆଜି ପୁଣି ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସେପଟେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତି ପରେ ରାଜନୀତି ମଧ୍ୟ ଜୋର ଧରିଛି।

ସୀମା ବିବାଦ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସୀମାବର୍ତ୍ତୀ ଗାଁକୁ ସୁବିଧା ଯୋଗାଇବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସୁପ୍ରିିମକୋର୍ଟରେ କୋଟିଆ ଆନ୍ଧ୍ରର ବୋଲି ପ୍ରମାଣିତ କରିବାକୁ ଏହା ଏକ ଚାଲ ବୋଲି କହିଛନ୍ତି। ଏଥି ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

ସେପଟେ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଓ଼ଡିଶାର ସାର୍ବଭୌମତ୍ୱ ପ୍ରତି ଆଞ୍ଚ ଆସିଲେ ସରକାର ଚୁପ ହୋଇ ବସିବେ ନାହିଁ। କୋରାପୁଟ ଜିଲ୍ଲା କୋଟିଆରେ ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।

ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ। ୧୦ ତାରିଖରେ ଭୋଟ ଗଣତି କରାଯିବ। କୋଟିଆର ତଳଗଂଜେଇପଦର, ଫାଟୁସିନାରୀ ଏବଂ ଫଗୁଣସିନେରୀରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।

You might also like