ଚିନ୍ତା ବଢ଼ାଇଲା ଓଡ଼ିଶାର ଚତୁର୍ଥ କରୋନା ରୋଗୀଙ୍କ ଯାତ୍ରା ବିବରଣୀ

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ।

ହାଓଡ଼ା ଷ୍ଟେସନରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସର  S-11 ବଗିରେ ବସି ସେ ଭଦ୍ରକରେ ପହଞ୍ଚିଥିଲେ। ଭଦ୍ରକ ରେଳ ଷ୍ଟେସନରୁ ଅଟୋ ଭଡ଼ା କରି ଘରକୁ ଯାଇଥିଲେ।

ମାର୍ଚ୍ଚ ୩୦ରେ ଏହି ଦୁବାଇ ଫେରନ୍ତା ବ୍ୟକ୍ତିଙ୍କର ସାମ୍ପଲ ନିଆଯାଇଥିଲା। ଭୁବନେଶ୍ୱର ଏମ୍ସ ହସ୍‌ପିଟାଲ୍‌ରେ  ସାମ୍ପଲ୍‌ ଟେଷ୍ଟ ପରେ ବ୍ୟକ୍ତିଜଣକ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା। ଚତୁର୍ଥ ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ସୂଚନା ମିଳିଛି।

ଭଦ୍ରକର ୨୯ ବର୍ଷୀୟ ଜଣେ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ ଗତକାଲି ରାତିରେ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ଜଣାଇଥିଲା। ଯୁବକ ଜଣକ ଦୁବାଇରୁ ଫେରିଥିଲେ ବି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ପୂର୍ବରୁ କେବଳ ଭୁବନେଶ୍ୱରରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଭଦ୍ରକରୁ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ସେପଟେ ଭଦ୍ରକରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ସଂକ୍ରମିତଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଇଛି। ତାସହ ସଂପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଠାବ କରି ଶୀଘ୍ର ସେମାନଙ୍କ ନମୁନା ପରୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏବେ ଦେଶ ବିଦେଶର କୋରନା ଅପ୍‌ଡେଟ୍‌

ଗତକାଲି ୩ଟା ସୁଦ୍ଧା କରୋନା ସଂକ୍ରମିତ ଦେଶମାନଙ୍କ ସଂଖ୍ୟା ୨୦୦ ଥିଲା। ଏଥିସହିତ ସମୁଦ୍ରରେ  ଦୁଇଟି ଯାହାଜ ମଧ୍ୟ ସଂକ୍ରମିତ ଥିଲା। ତେବେ ଆଜି ୩ଟା ସୁଦ୍ଧା ସେହି ଦୁଇ ଯାହାଜ ସହିତ ସଂକ୍ରମିତ ଦେଶଙ୍କ ସଂଖ୍ୟା ୨୦୩ରେ ପହଞ୍ଚିଛି। ସେହିପରି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୭,୮୯୯୩୬ ଥିଲା। ଆଜି ଦିନ ୩ଟା ସୁଦ୍ଧା ଏହି ସଂଖ୍ୟା ୮,୬୨୪୯୫ରେ ପହଞ୍ଚିଛି।  ଗତକାଲି ୩୮ ହଜାର ୧୦୩ ଜଣ ମୃତ୍ୟ ହୋଇଥିବା ବେଳେ ଆଜି ଏହା ବଢ଼ି ୪୨୫୧୦ରେ ପହଞ୍ଚିଛି।

ଭାରତରେ ଆଜି ଦିନ ୩ଟା ସୁଦ୍ଧା ୧୫୯୦ ସଂକ୍ରମିତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ୧୨୫୧ ଥିଲା। ସେହିଭଳି ମୃତ୍ୟୁ ସଂଖ୍ୟା ୩୨ରୁ ଆଜି ୪୫ ହୋଇଛି।

 

 

You might also like