ମିଳୁନି ସାର, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ସାରର ଅଭାବ ଦେଖାଦେଇଛି। ଚାଷ କାର୍ଯ୍ୟ ପାଇଁ ସାର ମିଳୁନଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ। ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ସବୁଠି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସବ୍‌ସିଡିରେ ମିଳୁଥିବା ସାର ଚାଷୀଙ୍କୁ ମିଳୁନଥିବାରୁ ବାହାର ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଷୀମାନେ ସାର ବସ୍ତା ପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ବଣାଇ ଲ୍ୟାମ୍ପସରେ ଗେଟ୍ ଭାଙ୍ଗି ଧସେଇ ପଶିଥିଲେ ସୁଦ୍ଧା ସାର ନମିଳିବାରୁ ନିରାଶ ହୋଇ ଫେରିଥିଲେ ଚାଷୀ।

ଗୋଟିଏ ପଟେ ରାଜ୍ୟରେ ସାର ମିଳୁନଥିବା ବେଲେ ଗଞ୍ଜାମ ଜିଲ୍ଲାରେ ସାରର କଳାବଜାରୀ ଅଭିଯୋଗ ଆସିଛି। ସରକାର ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ପାରୁନଥିବାରୁ ଡିଲର ଓ ଖୋଲା ବେପାରୀମାନେ ଏହାର ଫାଇଦା ନେଉଥିବା ଜଣାପଡ଼ିଛି।

ଫଳରେ ବାଧ୍ୟ ହୋଇ ଲୋକେ ସରକାରୀ ମୂଲ୍ୟଠାରୁ ଅଧିକ ଟଙ୍କା ଦେଇ ସାର କିଣୁଛନ୍ତି। ଏହାର ପ୍ରତିବାଦ କରି ବୁଗୁଡ଼ା ଓ ପୋଲସରା ଅଞ୍ଚଳର ଚାଷୀମାନେ ସ୍ଥାନୀୟ କୃଷି ଅଧିକାରୀଙ୍କୁ ଘେରିବା ସହ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଚାଷୀ ଏବେ ରୁଆ କାର୍ଯ୍ୟ ସରିଥିବା ବେଳେ ୟୁରିଆ ମିଳୁନି। ଜିଲ୍ଲାରେ ଏବେ ସାରର ଅଭାବ ଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଜିଲ୍ଲା ସହକାରୀ ନିବନ୍ଧକ ଦମୟନ୍ତି ସିଂହ କହିଛନ୍ତି।

ସେପଟେ ସାର ଅଭାବ ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଅଗଷ୍ଟ ମାସରେ ଖରିଫ ପାଇଁ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଛି। ତେବେ ଚାଷୀଙ୍କୁ କିଭଳି ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯିବ ତା’ଉପରେ ପଦକ୍ଷେପ ନିଆଯାଉଛି।

ଦିନକ ତଳେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କ ସହ ଏନେଇ ଫୋନ୍‌ରେ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାକୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣ ନେଇ କେନ୍ଦ୍ର ସାର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଥିଲେ।

You might also like