ଲକଡାଉନ ଛଡାଇନେଲା ରୋଜଗାର, ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ପେଟପାଟଣା ଚିନ୍ତା

ଭୁବନେଶ୍ୱର: କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କଣ ହେବ ସେମାନଙ୍କ ରୋଜଗାରର  ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି, ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି। ରାଜ୍ୟ ସରକାର ନରେଗା ଓ କିଛି ନୂଆ ଯୋଜନାକୁ ଭରସା କରିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେବ କି ତାହା ସବୁଠୁ ବ଼଼ଡ଼ ପ୍ରଶ୍ନ।

ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକର ପାତ୍ରଗୁଡ଼ା ଗାଁ ସୁଦୂର ତେଲେଙ୍ଗାନାକୁ କାମ କରିବାକୁ ଯାଇଥିଲେ ଏଠାକାର କିଛି ଯୁବକ। ହେଲେ ଲକଡାଉନ୍ ଛଡ଼ାଇ ନେଇଛି ସେମାନଙ୍କ ଜୀବିକା। ଗାଁକୁ ଫେରି କ୍ୱାରେଣ୍ଟିନରେ ରହିବା ପରେ ଏବେ ପେଟପାଟଣା ଚିନ୍ତା। ହେଲେ ହାତରେ ଆଉ କାମଧନ୍ଦା ନାହିଁ।

ମାଲକାନଗିରି ଜିଲ୍ଲା ଏମଭି-୨୪ର ମଧୁ ଦାଶ। ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିବା ମଧୁ ଗାଁକୁ ଫେରିବା ପରେ ହାତରେ ଆଉ କାମ ନାହିଁ। ପରିବାର କିଭଳି ଚଳାଇବେ ତାକୁ ନେଇ ଚିନ୍ତାରେ। କେବଳ ଏ ଦୁଇ ଗାଁ ନୁହେଁ, ରାଜ୍ୟର ସବୁ ଜିଲ୍ଲାରେ ଏବେ ସମାନ ଚିତ୍ର। ଏଭଳି ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ସହ ଜୀବିକା ପ୍ରଦାନ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା କର୍ମୀ ରାଜକିଶୋର ମିଶ୍ର।

ଗୋଟିଏ ପଟେ କରୋନାର କୋରଡ଼ା ମାଡ଼ ଯୋଗୁଁ ରାଜ୍ୟରେ ଥିବା ଉଠାଦୋକାନୀ, ଛୋଟ ଛୋଟ ବେପାରୀଙ୍କ ବ୍ୟବସାୟ ଠପ୍। ଅନ୍ୟପଟେ ବଢ଼ିବାରେ ଲାଗିଛି ଘର ବାହୁଡ଼ା ଶ୍ରମିକଙ୍କ ସଂଖ୍ୟା। ଏଯାଏଁ ପ୍ରାୟ ସାଢେ ୩ ଲକ୍ଷ ପ୍ରବାସୀ ଫେରିଥିବା ବେଳେ ଆହୁରି ୫ ଲକ୍ଷ ଆସିବାର ସମ୍ଭାବନା ଥିବା ସରକାର ଆକଳନ କରୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି।

ତେବେ ସହରାଞ୍ଚଳରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ରାଜ୍ୟ ସରକାର ଅର୍ବାନ ୱେଜ୍ ଏମପ୍ଲମେଣ୍ଟ ଇନିସିଏଟିଭ୍ ମାଧ୍ୟମରେ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ। ସେପଟେ ମନରେଗାରେ ଦିନକୁ ୨୦ ଲକ୍ଷ, ବର୍ଷକୁ ୨୦ କୋଟି  ମାନବ ଦିବସ ସୃଷ୍ଟି କରିବାକୁ ଯୋଜନା ବି ହୋଇଛି।

କେନ୍ଦ୍ର ସରକାର ମଧ୍ୟ ବଜେଟରେ ମନରେଗା ପାଇଁ ୬୧ ହଜାର କୋଟି ଓ କରୋନା ପରେ ୪୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି। ତେଣେ କଂଗ୍ରେସ୍ ବି ଶ୍ରମିକମାନଙ୍କୁ ୨ଶହ ଦିନ କାମ ଉଠା ଦୋକାନୀଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ଓ ଗରିବଙ୍କୁ ୬ ମାସ ଯାଏଁ ମାସିକ ୭ ହଜାର ୫ଶହ ଟଙ୍କା ଲେଖାଏଁ ଦେବାକୁ ଦାବି କରିଛି।

ଶ୍ରମିକଙ୍କ ବ୍ୟତୀତ ଲକ୍ଷ ଲକ୍ଷ ସଂଖ୍ୟାରେ ଅନ୍ୟ ବୃତ୍ତିଧାରୀ ବି ଏବେ ବେକାର ବସିଛନ୍ତି। ସେମାନଙ୍କ ପାଇଁ କାମଧନ୍ଦା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି, ତାହା ପ୍ରତ୍ୟେକ ଦିନ ବଢୁଥିବା ବେକାରୀ କମାଇପାରିବ ତ ?

You might also like