ଆଗକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା

ଭୁବନେଶ୍ୱର : ୧୮ ସରିଲା ୧୯ ଆସିଲା। ଏପ୍ରିଲ୍-ମେ ମାସ ବେଳକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା ଦେବେ ରାଜ୍ୟର ସବୁ ରାଜନୈତିକ ଦଳ। ତେବେ ଏଥର ସବୁଠୁ ବଡ଼ ଆହ୍ୱାନ ରହିବ ଶାସକ ବିଜେଡି ପାଇଁ।

୧୮ ବର୍ଷ ଧରି କ୍ଷମତାରେ ଥିବାରୁ ଦଳ ପାଇଁ ଚ୍ୟାଲେଂଜ ହେବ ସରକାର ବିରୋଧୀ ହାଓ୍ୱା। ତାସହିତ ଅଡୁଆ ସୃଷ୍ଟି କରିବ ଦଳରେ ବଢୁଥିବା ଗୋଷ୍ଠୀ କନ୍ଦଳ।  ପ୍ରତି ନିର୍ବାଚନୀ ମଣ୍ଡଳୀ ପାଇଁ ସଂଖ୍ୟାଧିକ ଆଶାୟୀ ପ୍ରାର୍ଥୀ, ସରକାର ଓ ନେତାଙ୍କ ବିରୋଧରେ ଭଷ୍ଟ୍ରାଚାର ଅଭିଯୋଗ।

ଏପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ଭାବମୂର୍ତ୍ତି ମଳିନ ପଡିଥିବା ଚର୍ଚ୍ଚା ବି ହେଉଛି। ସେହିପରି ସରକାର ଘୋଷଣା କରିଥିବା ଗଣ୍ଡାଗଣ୍ଡା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ବିଜେଡି ପାଇଁ ଆଉ ଏକ ଚ୍ୟାଲେଂଜ୍ ହେବ। ସେହିପରି ସ୍ୱାସ୍ଥ୍ୟଗତ କାରଣରୁ ନବୀନ ଯଦି ସକ୍ରିୟ ଭାବେ ପ୍ରଚାର ନକରନ୍ତି ତେବେ ଭୋଟରଙ୍କୁ ମନାଇବା ଦଳ ପାଇଁ କଷ୍ଟକର ହୋଇପାରେ।

କିଛି ଦିନ ତଳେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଜିତି କମ୍‌ବ୍ୟାକ୍ କରିଛି। ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଉତ୍ସାହ ବଢିଛି। ହେଲେ ଗୋଷ୍ଠୀକନ୍ଦଳରେ ଲିପ୍ତ ନେତାଙ୍କ ଭିତରେ ଖୋଲାଖୋଲି ଚାଲିଛି ଆରୋପ ପ୍ରତ୍ୟାରୋପ। ତେଣୁ ଘର ସଜାଡିବା,  ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ପ୍ରାର୍ଥି ଚୟନ ଓ ଦଳ ଡିଆଁକୁ ରୋକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା କଂଗ୍ରେସ ପାଇଁ ଚାଲେଞ୍ଜ ହେବ।

୧୯ ନିର୍ବାଚନ ସବୁଠି ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିବ ମିଶନ ୧୨୦ ଟାର୍ଗେଟ ରଖିଥିବା ବିଜେପି ପାଇଁ। ପଂଚାୟତ ନିର୍ବାଚନରେ ସଫଳତା ପରେ ଦଳ ଯେଭଳି ଜୋରଦାର ଢଙ୍ଗରେ ଆଗକୁ ବଢିବା କଥା କରିପାରିନାହିଁ। ୩୬ ହଜାର ବୁଥ୍‌ରେ ନିଜ ଉପସ୍ଥିତି ଜାହିର କରିବା, ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ଏକାଠି କରିବା, ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବା, ପ୍ରାର୍ଥୀ ଚୟନ ଓ ସର୍ବୋପରି ସରକାର ବିରୋଧୀ ହାଓ୍ୱାରୁ  ଫାଇଦା ଉଠାଇ ରାଜ୍ୟବାସୀଙ୍କ ଆଗରେ ନିଜକୁ ବିଜେଡିର ବିକଳ୍ପ ଉପସ୍ଥାପନ କରିବା ଦଳ ପାଇଁ ଆହ୍ୱାନ ରହିବ।

ଏସବୁ ଭିତରେ ଆଗାମୀ ସାଧାରଣ ନିର୍ବାଚନ ବେଳେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱକୁ ସାମ୍ନା କରିବା ସବୁ ଦଳଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ।

ଏହାବାଦ୍ ଗୋଳମାଳିଆ ରାଜ୍ୟନୈତିକ ଦୃଶ୍ୟପଟ୍ଟରେ ଓଡ଼ିଶାରେ କିଛି ଭିନ୍ନ ରାଜନୈତିକ ସମୀକରଣ ବି ଦେଖାଦେଇପାରେ। ତେବେ କେଉଁ ଦଳ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରି ଭୋଟ୍ ରାଜନୀତିରେ ବାଜିଗର୍ ସାବ୍ୟସ୍ତ ହେଉଛି, ୨୦୧୯ରେ ତାକୁ ଅପେକ୍ଷା ରହିବ।

You might also like