ଦୁଃଖ ଦେଇ ଗଲା ‘ଡାଏ’

ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି।

ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀର ପାଳପାଟଣା, ଶାଳଗାଁ, ନରଣଗାଁ ମଧ୍ୟ ଲୋକେ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି।

ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ନଦୀରେ ବନ୍ୟାପାଣି ଆସି ଏହି ଅଞ୍ଚଳର ଲୋକେ ବାସହରା ହୋଇଯାଇଛନ୍ତି। କଚ୍ଚା  ଘର ହେଉ କି ପକ୍କା ଘର, ସବୁକିଛି ଜଳବନ୍ଦୀ ଅବସ୍ଥାରେ ରହିଛି। ଏମିତିକି ବାଉଁଶ ପୋଲକୁ ପାଣି ଛୁଇଁ ରହିଥିବା ଯୋଗୁ ପୋଲ ଉପରେ ଯିବାକୁ ଲୋକେ ଭୟ କରୁଛନ୍ତି। ଘରେ ରୋଗୀ ପଡିଥିଲେ ବି ଡାକ୍ତରଖାନା ନେବା ସମ୍ଭବପର ହେଉନି।

ଅନ୍ୟପଟେ, ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପାଣି କମିଥିଲେ ବି ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତଙ୍କୁ ପଲିଥିନ ଯୋଗାଇ ଦିଆଯାଇଥିଲେ ମଧ୍ୟ ବହୁ ଲୋକେ ରିଲିଫ ନ ପାଇ ଅସହାୟ ଅବସ୍ଥାରେ ପଡ଼ିଥିବା ଅଭିଯୋଗ ହୋଇଛି। କିଛି ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

(ବାଲେଶ୍ୱରରୁ ରଣଜିତ ପାକଳ ଓ ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ)

You might also like