ଚେକିଂ ଆଳରେ ଦବଙ୍ଗଗିରି: ପୋଲିସ ବାଡ଼ିରେ ମୁଣ୍ଡ ଫାଟିଗଲା !

ବାରିପଦା: ପୋଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୂପ ଘଟଣା। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୋଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟାରେ କରଞ୍ଜିଆ ପୋଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍ ଓ ମାସ୍କ ଚେକିଂ କରୁଥିଲା। ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ଯାଉଥିବା ବେଳେ ପୋଲିସ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି।

ଘଟଣାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଅଡ଼ି ବସିଥିଲେ। ପୋଲିସର ଉଚ୍ଚ ଅଧିକାରୀ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଆଲୋଚନା କରିଥିଲେ। ଶେଷରେ କାର୍ଯ୍ୟାନୁଷ୍ଠାନସ୍ୱରୂପ ଜଣେ OSAP କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି।  ସେହିପରି ହୋମଗାର୍ଡଙ୍କୁ ଡିସ୍‌ଚାର୍ଜ କରାଯାଇଛି। 

ଗତକାଲି ସେହି ମୟୂରଭଞ୍ଜ ଶରତ ଥାନାର ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ନିଲମ୍ବିତ ହୋଇଛନ୍ତି। ଜଣେ ଗର୍ଭବତୀଙ୍କୁ ୩ କିଲୋମିଟର ଖରାର ଚଲାଇବାକୁ ବାଧ୍ୟ କରି ଦାୟିତ୍ୱରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସେ ନିଲମ୍ବିତ ହୋଇଛନ୍ତି। ତେବେ ସେହି ଘଟଣାକୁ ମାତ୍ର ୨୪ ଘଣ୍ଟା ନପୁରୁଣୁ ଆଜି ପୁଣି ପୋଲିସ ଅମାନୁଷିକତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି।

You might also like