ଆକ୍ରମଣ ଘଟଣାରେ ନିରଞ୍ଜନଙ୍କ ୟୁ-ଟର୍ଣ୍ଣ

ଭୁବନେଶ୍ୱର: ଗତକାଲି କେନ୍ଦୁଝର ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିଲା। ଗତକାଲି ଦେଇଥିବା ସୂଚନାକୁ ଆଜି କିନ୍ତୁ ବଦଳାଇ ଦେଇଛନ୍ତି ନିରଞ୍ଜନ। ତେବେ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆକ୍ରମଣକାରୀମାନେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଜାଣିବା ପରେ ସେ ଚକିତ ବୋଲି  କହିଛନ୍ତି। ଏଥିସହିତ ଘଟଣାକୁ ନେଇ ସେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ। କଂଗ୍ରେସ ରାଜ୍ୟରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଉଠାଇଚାଲିଛି ଏବଂ  ବିଜେପିର ନୀତି ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରୁଛି। ବିଜେପି ପାଇଁ କଂଗ୍ରେସ ଏବେ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ କରାଯାଇଛି ବୋଲି  ଟ୍ୱିଟ୍ କରିଛନ୍ତି ନିରଞ୍ଜନ।

ବିଜେପିକୁ ଆକ୍ଷେପ କରିଥିବାରୁ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ନିରଞ୍ଜନଙ୍କୁ ସମାଲୋଚନା କରିଛନ୍ତି।  ପରୀ ଘଟଣା ପରି କଂଗ୍ରେସ ସବୁ ଘଟଣାରେ ମତ ବଦଳାଇବାର ଅଭ୍ୟାସ ଅଛି ବୋଲି କହିଛନ୍ତି। ଅଟକ ଥିବା ବ୍ୟକ୍ତି ଜଣଙ୍କ ଆଜିର ଦିନରେ ବିଜେପିରେ ନାହିଁ। କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ନିରଞ୍ଜନ ପଟ୍ଟନାୟକ ଏମିତି କରୁଥିବା କହିଛନ୍ତି ମୋହନ ମାଝି।

ପିସିସି ସଭାପତିଙ୍କ ଗାଡ଼ିକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ। ସଂଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ନ ହେଲେ ଉଭୟ ବିଜେପି ଓ ବିଜେଡି ସଭାପତିଙ୍କ ଗାଡ଼ି ଅଟକାଇବ ବୋଲି କହିଛି କଂଗ୍ରେସ। ସେପଟେ ଏହି ଘଟଣା ନେଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଡିସିପିଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ।

କେନ୍ଦୁଝରରେ PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଟାଉନ ପୋଲିସ ଜଣକୁ ଥାନାରେ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣଙ୍କ ମାଧପୁର ଅଞ୍ଚଳର ସଞ୍ଜୟ ମହାନ୍ତି ଏତଲାରେ ତାଙ୍କ ନା ଥିବାରୁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଞ୍ଜୟ କୌଣସି ରାଜନୈତିକ ଦଳର ବୋଲି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ଗତକାଲି ରାତି ପ୍ରାୟ ୮ଟାରେ କାଶୀପୁର ନିକଟରେ ନିରଞ୍ଜନଙ୍କ ଗାଡି ଆଗକୁ ଏକ ବୋଲେରୋରେ ୪ରୁ ୫ଜଣ ଯୁବକ ଆସି ଅଟକାଇଥିଲେ ପରେ ନିରଞ୍ଜନଙ୍କ କାର ଉପରେ ଆକ୍ରମଣ କରିବାରୁ ସୁରକ୍ଷା ପାଇଁ ଡ୍ରାଇଭର ଓ ପିଏସଓ ଗାଡିରୁ ଓହ୍ଲାଇ ପଡିଥିଲେ। ଏହାପରେ ଦୁର୍ବୃତ୍ତମାନେ ଡ୍ରାଇଭର ସହ ପିଏସ୍ଓ ରାଜେଶ ସିଂଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା।

ଗତକାଲି ଆକ୍ରମଣ ଘଟଣା ପରେ ନିରଞ୍ଜନ କହିଥିଲେ ଯେ ମଦ ପିଇ ୬ରୁ ୭ ଜଣ ଯୁବକ ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି। ବୋଧହୁଏ ସେମାନେ ମଦ ପିଇ ପିକନିକ୍ ସାରି ଫେରୁଥିଲେ। ସଂପୃକ୍ତ ଯୁବକମାନଙ୍କୁ ସେ ଚିହ୍ନି ନାହାନ୍ତି। ତେବେ ତାଙ୍କ ଉପରେ ଆକ୍ରମଣ ହୋଇନାହିଁ କେବଳ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ହୋଇଥିବା ନିରଞ୍ଜନ କହିଛନ୍ତି। ଏହି ଘଟଣାରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିବା ସନ୍ଦେହ କରୁନଥିବା ନିରଞ୍ଜନ କହିଛନ୍ତି। କେନ୍ଦୁଝର ଭଳି ଅଞ୍ଚଳରେ ଏଭଳି ଘଟଣା ଉଦବେଗଜନକ ବୋଲି ସେ ଚିନ୍ତାପ୍ରକଟ କରିଛନ୍ତି।
You might also like