ଏଣିକି ମଦ ଲାଇସେନ୍ସ ଦେବେ ଜିଲ୍ଲାପାଳ

ନିର୍ବାଚନୀ ପାଣ୍ଠି ପାଇଁ ସରକାର ଖୋଲିଲେ କି ଗଳାବାଟ?

ଭୁବନେଶ୍ୱର : ମଦକୁ ନେଇ ଚାଲିଛି ମହାଭାରତ । ସମାଜକୁ ବିଗାଡୁଥିବା ମଦ ବିରୋଧରେ ଦୈନିକ କେଉଁଠି ନାଁ କେଉଁଠି ଏମିତି ଢଙ୍ଗରେ ହେଉଛି ହିଂସାତ୍ମକ ପ୍ରତିବାଦ ଓ ଅାନ୍ଦୋଳନ । ହେଲେ ରାଜ୍ୟ ସରକାର କିନ୍ତୁ ଏ ବାବଦରେ ସାଜିଛନ୍ତି ଧୃତରାଷ୍ଟ୍ର। ମଦ ବନ୍ଦ କରିବେ କଣ ବରଂ ଅାଗକୁ ଗାଁ ଗାଁରେ କେମିତି ମଦର ବନ୍ୟା ସୃଷ୍ଟି ହେବ ସେଥିପାଇଁ ନେଇଛନ୍ତି ନିଷ୍ପତ୍ତି। ଯାହା କି ସ୍ପଷ୍ଟ ପ୍ରମାଣିତ କରୁଛି ଅବକାରୀ ବିଭାଗର ବିଜ୍ଞପ୍ତିରୁ ।

ବିଜ୍ଞପ୍ତି ଅନୁସାରେ ଏଣିକି, ଓଡ଼ିଶା ଅବକାରୀ ଆକ୍ଟ-୨୦୧୩ ଅନୁସାରେ ଉଭୟ ବିଦେଶୀ ମଦ ବିକ୍ରି ଓ ଦେଶୀ ମନ୍ଦ ପ୍ରସ୍ତୁତି ସହ ବିକ୍ରି ପାଇଁ ଅନୁମତି ପ୍ରଦାନ କ୍ଷମତା ଜିଲ୍ଲାପାଳଙ୍କ ହାତରେ ରହିବ। ତେବେ ନିର୍ବାଚନ ବର୍ଷରେ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତି ଦଳୀୟ କର୍ମୀଙ୍କୁ ଖୁସି କରାଇବା ସାଙ୍ଗକୁ ବିଷାକ୍ତ ମଦ ମୃତ୍ୟୁ ହେଲେ ଅମଲାଙ୍କ ଉପରକୁ ଦୋଷ ଠେଲିବାରେ ସହଜ ହେବ ବୋଲି କହିଛନ୍ତି ପୂର୍ବତନ ଅବକାରୀ କମିଶନର।

ତେବେ ରାଜ୍ୟ ସରକାରଙ୍କ ନୂଅା ମଦ ନୀତିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ଖୋଦ୍ ଶାସକ ଦଳର ବରିଷ୍ଠ ବିଧାୟକ ଦାମୋଦର ରାଉତ। ଦାମ କହିଛନ୍ତି ଏହା ଦ୍ୱାରା ସାମାଜିକ ଅପରାଧ ବଢ଼ିବ, ଯିଏ ଏଭଳି ନିଷ୍ପତ୍ତି ନେଉଛନ୍ତି, ତାହା ରାଜ୍ୟ ପାଇଁ ଅହିତକର।

ମଦ ଦୋକାନଟିଏ ଖୋଲିବା ପାଇଁ ଏବେ ରହିଛି ତ୍ରି ସ୍ତରୀୟ ଯାଞ୍ଚ ବ୍ୟବସ୍ଥା । ଲାଇସେନ୍ସ ପାଇଁ ପ୍ରଥମେ ଜିଲ୍ଲାପାଳ, ତା ପରେ ଅବକାରୀ କମିଶନର ଓ ଶେଷରେ ଅବକାରୀ ମନ୍ତ୍ରୀଙ୍କ ଅନୁମୋଦନ ଦରକାର। ହେଲେ ଏବେ ଜିଲ୍ଲାପାଳଙ୍କୁ ମଦବିକ୍ରି ଅନୁମତି ଦେବା କ୍ଷମତା, ନିର୍ବାଚନ ବେଳେ ଅବାଧ କାରବାରକୁ ପ୍ରଶୟ ଦେବା ସହ ନିଶାଜନିତ ଅରାଜକତାକୁ ଯେ ବଢ଼ାଇବ, ଏଥିରେ ସନ୍ଦେହ ନାହିଁ  ।

You might also like