ଗରିବଙ୍କ ଚିକିତ୍ସା ପାଇଁ ନାହିଁ, ହେଲେ ‘ଆହାର’କୁ ଯାଉଛି କୋଟି କୋଟି ଟଙ୍କା

ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍

ଯାଜପୁର / ଭୁବନେଶ୍ୱର : ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ। ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ, ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ଆହାର ଯୋଜନା ପାଇଁ କିନ୍ତୁ ଏହି ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା।

ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଆହାର ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟରେ ବି କୋଟି କୋଟି ଟଙ୍କାର ଫରକ୍ ଆସିଛି। ଯାହାକୁ ନେଇ ବିରୋଧୀ ଆପତ୍ତି ଉଠାଇବା ସହ ଅଡିଟ୍ ଦାବି କରିଛନ୍ତି। ଆସନ୍ତୁ ଏହି ଅନୁସନ୍ଧାନମୂଳକ ରିପୋର୍ଟକୁ ଜାଣିବା ।

ଜୁଆନ ପୁଅର ଅକର୍ମଣ୍ୟ ଅବସ୍ଥା ଦେଖି କେମିତି ବା ବନ୍ଦ ହେବ ଜଣେ ଜନ୍ମଦାତ୍ରୀର ଆଖିରେ ଲୁହ। ଅନ୍ୟର ସାହାରା ବିନା ଦୁଇ ପାହୁଣ୍ଡ ଚାଲିବାକୁ ଅକ୍ଷମ ଏ ଯୁବକ ଯାଜପୁର ଅମ୍ପୋଲା ଗାଁର ଦୀପକ ମହାପାତ୍ର।

ମେରୁଦଣ୍ଡ ଜନିତ ସମସ୍ୟାରେ ସଢୁଥିବା ଦୀପକଙ୍କ ଚିକିତ୍ସା ଲାଗି ଭିଟାମାଟି ବି ବିକି ସାରିଛନ୍ତି ବାପା ମାଆ। ନେତାଙ୍କଠୁ ପ୍ରଶାସନ ସମସ୍ତଙ୍କୁ ଗୁହାରି ହୋଇଛି, ଟଙ୍କା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ବି ଆଶ୍ରା କରିଥିଲେ; ହେଲେ ସବୁଠି ନିରାଶ।

ଏଣେ ଜିଲ୍ଲାପାଳ କହୁଛନ୍ତି ସେ ଅଭିଯୋଗ ପ୍ରକୋଷ୍ଠକୁ ଆସିଲେ ସମସ୍ୟା ବୁଝିବେ।

ଏଠି ପ୍ରଶ୍ନ ଯଦି ଏଭଳି ହିତାଧିକାରୀ ପାଉନାହାନ୍ତି, ତାହାଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ବାବଦ ଅର୍ଥ ଯାଉଛି କୁଆଡ଼େ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ଚାଲିଥିବା ୫ଟଙ୍କିଆ ଆହାର ଯୋଜନାକୁ ସବୁଠୁ ଅଧିକ ଅନୁଦାନ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ। ତଥ୍ୟ କହୁଛି ଏ ଯୋଜନା କାର୍ଯ୍ୟକାରୀ ହେବାଠୁ ଆଜି ପର୍ଯ୍ୟନ୍ତ ମୋଟ୍ ୧୬୭ କୋଟି ୯୯ ଲକ୍ଷ ୪୪ ହଜାର ୬୭୫ ଟଙ୍କା ଖର୍ଚ୍ଚ ହୋଇଛି।

ଗତ ୪ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯାଇଛି ୧୨୮ କୋଟି ୭୬ ଲକ୍ଷ ୧୪ ହଜାର ଟଙ୍କା। ବିଭିନ୍ନ କର୍ପୋରେଟ୍ ସଂସ୍ଥାମାନଙ୍କ ଠାରୁ ଏ ବାବଦରେ ଆସିଛି ୧୩ କୋଟି ୫୨ ଲକ୍ଷ ଟଙ୍କା।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସାଧାରଣ ପ୍ରଶାସନ ଓ ନଗର ଉନ୍ନୟନ ବିଭାଗର ଦସ୍ତାବିଜରେ ତଥ୍ୟର ତାଳମେଳ ନାହିଁ। ସାଧାରଣ ପ୍ରଶାସନ ବିଭାଗର ତଥ୍ୟ ଅନୁସାରେ ଗତ ୫ବର୍ଷରେ ପ୍ରାୟ ୬୮ କୋଟି ଟଙ୍କା ସିଏମ୍ ରିଲିଫ୍ ଫଣ୍ଡରୁ ଆହାର ଯୋଜନାକୁ ଯାଇଛି। ହେଲେ ନଗର ଉନ୍ନୟନ ବିଭାଗ ଏ ସମ୍ପର୍କରେ ୨ ମାସରେ ୨ ପ୍ରକାର ତଥ୍ୟ ଦେଇଛି।

ପ୍ରଥମଟିରେ ୧୭୭କୋଟି ୪୬ଲକ୍ଷ ଟଙ୍କା ସିଏମ ରିଲିଫ ଫଣ୍ଡରୁ ଆସିଥିବା ଦର୍ଶାଇଥିବାବେଳେ, ଏହାର ଠିକ୍ ୨ମାସ ପରେ ଏହାର ପରିମାଣ ୧୫୬ କୋଟି ଦର୍ଶାଯାଇଛି। ତେଣୁ ପାଖାପାଖି ୨୧ କୋଟିର ଅନୁଦାନ ଫରକ୍ ରହୁଛି।

ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ। ହେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କିନ୍ତୁ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରି ଦେଇଛନ୍ତି।

ଆହାର ଯୋଜନାର ପରିକଳ୍ପନା ସମୟରେ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଅର୍ଥ କର୍ପୋରେଟ୍ ସଂସ୍ଥା ମାନଙ୍କ ସିଏସ୍ଆର ଫଣ୍ଡରୁ ଆସିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ କୋଟି କୋଟି ଟଙ୍କା ବ୍ୟୟ ହେବାକୁ ନେଇ ପ୍ରଶ୍ନ ଉଠିଛି।

You might also like