ଲୋକମାନେ ଆମର ପ୍ରଭୁ, ତାଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦିଅ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲୋକଙ୍କୁ ସର୍ବଶ୍ରଷ୍ଠ ସେବା ଯୋଗାଇ ଦିଅ। ଲୋକମାନେ ହିଁ ଆମର ପ୍ରଭୁ। ସେମାନେ ହିଁ ଶାସନର ବିନ୍ଦୁ। ତେଣୁ ତାଙ୍କୁ ଅବହେଳା କରନି। ବରିଷ୍ଠ ଅଧିକାରୀମାନଙ୍କୁ ଏମିତି ଦାୟିତ୍ୱ ବିଷୟରେ ବୁଝାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆୟୋଜିତ ହୋଇଥିଲା ବରିଷ୍ଠ ଅଧିକାରୀଙ୍କ  ଦୁଇ ଦିନିଆ ସମ୍ମିଳନୀ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ  ଆହ୍ୱାନ ଦେଇଛନ୍ତି। ଏଥିସହିତ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ କ’ଣ ହେବା ଉଚିତ୍‌ ସେ ବିଷୟରେ ମଧ୍ୟ ବୁଝାଇ କହିଛନ୍ତି ।

ସେ କହିଥିଲେ, ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ।  ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି । ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି।  ତେଣୁ ସେମାନଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ବୋଲି  ସେ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ। 

ଲୋକମାନେ ଗଣତନ୍ତ୍ରର ମୂଳାଧାର ହୋଇଥିବାରୁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦେବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ। ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ସେ ଉପସ୍ଥିତ ମନ୍ତ୍ରୀ ଓ ଅଫିସରଙ୍କୁ ଶପଥ ପାଠ କରାଇଥିଲେ। 

 

You might also like