ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ: ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ବିଜେପି ବିଧାୟକ ନୁହଁ ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଏଠାକାର ସରକାର ସ୍ଥାଣୁ ପାଲଟିଯାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଆମ ଦଳର ବିଧାୟକ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି। ଏହି ଅବସରରେ ସେ ପିପିଲି ନିର୍ବାଚନ ତଥା ବିଜେପି ସଂଗଠନ ସମ୍ପର୍କରେ ବି ମତ ରଖିଥିଲେ।  

ସେ କହିଛନ୍ତି ଯେ ସବୁ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଷ୍ଟ୍ରାଟେଜି କରାଯିବ। ଆମର ପୂର୍ଣ୍ଣ ବିଶ୍ୱାସ ଆମେ ଜିତିବୁ। ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିଷୟରେ ଲୋକଙ୍କୁ ଅବଗତ କରିବୁ। ଆଜି ଓଡ଼ିଶାରେ ବହୁତ ବଡ଼ ବଡ଼ ଭ୍ରଷ୍ଟାଚାର ହେଉଛି। ଏଠି ମହିଳାଙ୍କ ପ୍ରତି ଅତ୍ୟାଚାର, ଶିଶୁ ତସ୍କରୀ କ୍ରମାଗତ ବଢ଼ିଚାଲିଛି। ୨/୩ ଲକ୍ଷ ଏମିତି ଗରିବ ଅଛନ୍ତି ଯାହାଙ୍କୁ ଏଯାଏ ଘର ମିଳିନି। ଏସବୁ ବିଷୟ ଆମେ ଲୋକଙ୍କ ପାଖକୁ ନେଇକି ଯିବୁ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

You might also like