ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ଯାଉଥିବା ଶୋଭାଯାତ୍ରାକୁ ବିଧାନସଭା ଆଗରେ ଅଟକାଇଥିଲା ପୋଲିସ। ଏହାପରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା।

ସେହିପରି ୧୦ରୁ ୧୫ ଜଣ ଯୁବକ ବାଇକ୍‌ରେ ଏଜି ଛକରୁ ଆସୁଥିବା ବେଳେ ପୋଲିସ୍ ସେମାନଙ୍କୁ‌ ବିଧାନସଭା ସମ୍ମୁଖରୁ ଉଠାଇ ନେଇଥିଲା। ଏହି ଯୁବକମାନେ ବିଜେପି କର୍ମୀ ବୋଲି ସୂଚନା ମିଳିଛି। ପୋଲିସ୍‌ ସେମାନଙ୍କୁ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ପରୀ ମୃତ୍ୟୁ ମାମଲାରେ ଏହି ଯୁବକମାନେ ପ୍ରତିବାଦ କରିବା ପାଇଁ ଆସିଥିବା ସନ୍ଦେହ କରାଯାଉଛି।

You might also like