ମିନି ଟ୍ରକ୍ ଓଲଟି ପଡ଼ିବା ଘଟଣା: ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମିନି ଟ୍ରକ୍ ଓଲଟି ପଡ଼ିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ସହ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଜିଲ୍ଲାର ବ୍ରାହ୍କଣୀ ଗାଁ ନିକଟ ବଙ୍ଗଡ଼ଦୁଆ ଘାଟି ନକଟରେ ଏକ ମିନି ଟ୍ରକ ଓଲଟି ପଡ଼ିଛି। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଉଛିା ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ ରହିଛନ୍ତି। ଟ୍ରକ୍‌ରେ ୪୦ ଜଣ ଲୋକ ବସିଥିବା କୁହାଯାଉଛି।

ଅନ୍ୟପଟେ ଦୁର୍ଘଟଣାକୁ ନେଇ ଓଲଟା ଲୋକଙ୍କ ଉପରେ ଦୋଷ ଲଦିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ। ଲୋକଙ୍କ ସଚେତନତା ଅଭାବରୁ ଦୁର୍ଘଟଣା ହେଉଛି ବୋଲି କହି ଦୋଷ ଛଡ଼ାଇଛନ୍ତି ମନ୍ତ୍ରୀା ମାଲବୁହା ଗାଡ଼ିରେ ଯାତ୍ରୀ ପରିବହନ ନକରିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ତେବେ ଆଜିର ଦୁର୍ଘଟଣା ସଂପର୍କରେ ଆରଟିଓଙ୍କ ସହ ଆଲୋଚନା କରାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁଯାୟୀ, ମିନିଟ୍ରକ୍‌ଟି ଲୋକମାନଙ୍କୁ ନେଇ ଦାରିଙ୍ଗବାଡ଼ିରୁ ବ୍ରହ୍ମାଣୀ ଗାଁକୁ ଯାଉଥିଲା। ସେଠାରେ ଏକ ଚର୍ଚ୍ଚରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ଲୋକମାନେ ସେଠାକୁ ଯାଉଥିଲା। ତେବେ କିପରି ଏବଂ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ହେଲା ସେ ସମ୍ପର୍କରେ ସୂଚନା ମିଳିପାରିନି। ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।  ତେବେ ଡାକ୍ତରଖାନାକୁ ଜିଲ୍ଲାପାଳ ଓ ଉପଜିଲ୍ଲାପଳ ଉଭୟେ ଯାଇଥିଲେ ମଧ୍ୟ ଲୋକଙ୍କ ସହ ଆଲୋଚନା କରିନଥିବା ନେଇ ଅଭିଯୋଗ ହୋଇଛି।

You might also like