ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ୨ ବର୍ଷରେ ୮୦ଟି ଗାଡ଼ି କିଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ନିଜ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧୦ କୋଟି ଟଙ୍କା ଥିବା ଦର୍ଶାଇଛନ୍ତି।
ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୮ କୋଟି ଏବଂ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ପାଖରେ ୭କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଛନ୍ତି। ମନ୍ତ୍ରୀମଣ୍ଡଳର ଗରିବ ମନ୍ତ୍ରୀ ଭାବେ ତୁଷାରକାନ୍ତି ବେହେରା ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଛନ୍ତି।
ନିଜ ସମ୍ପତ୍ତି ତାଲିକାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ୨ ବର୍ଷରେ ୮୦ଟି ଗାଡ଼ି କିଣିଥିବା ଦର୍ଶାଇଛନ୍ତି। ଏହା ଭିତରେ ରହିିଛି ପ୍ରାୟ ୨ କୋଟି ଟଙ୍କାର ଗୋଟିଏ ସୌଖୀନ ମର୍ସିଡିଜ କାର୍ ଏବଂ ଅନ୍ୟଗୁଡିକ ଟ୍ରକ୍ ଓ ବାଣିଜ୍ୟିକ ଗାଡ଼ି।
ନବୀନ ଓ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ଚଳିତ ବର୍ଷର ନୁହେଁ ଗତ ୧୦ ବର୍ଷର ସମ୍ପତ୍ତି ତାଲିକା ସହ ଆୟର ଉତ୍ସ ନେଇ ତଥ୍ୟ ମାଗିଛି ବିଜେପି। କଂଗ୍ରେସ ମଧ୍ୟ କହିଛି, ସରପଞ୍ଚଙ୍କ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ସମ୍ପତ୍ତିର ସଠିକ୍ ତଥ୍ୟ ଦେଇ ନାହାନ୍ତି।
୨୦୨୦, ମାର୍ଚ୍ଚ ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ହଜାର ୧୧ ଟଙ୍କା। ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜିଳିକାଟୁ ଏବଂ ବରଗଡ଼ ପଦ୍ମପୁରର ୭ଟି ବ୍ୟାଙ୍କରେ ଏହି ଜମା ରଖିଛନ୍ତି ନବୀନ। ଏହାମଧ୍ୟରୁ ହିଞ୍ଜିଳିକାଟୁ ଏବଂ ପଦ୍ମପୁର SBI ବ୍ରାଞ୍ଚରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ନବୀନଙ୍କ ଆକାଉଣ୍ଟ ଖୋଲାଯାଇଥିଲା। ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଦିଲ୍ଲୀ ଜନପଥ ଶାଖାରେ ନବୀନଙ୍କ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଜମା ରହିିଛି।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ଅଳଙ୍କାର ରହିଛି। ଏବେବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୯୮୦ ମଡେଲର ଆମ୍ବାସଡର କାର୍। ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ରହିିଛି ଫରିଦାବାଦର ତିକ୍ରିଖେରା ଥିବା ଜମି ଓ କୋଠା। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ହେବ।
ନବୀନ ନିବାସରେ ଦୁଇ ତୃତୀୟାଂଶ ସେୟାର ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର। ଫରିଦାବାଦରେ ଥିବା ଜମି ବିକ୍ରି ଉପରେ ନବୀନ ୧କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି। ସିଏମଓ ୱେବ୍ସାଇଟ୍ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ ରହିଛି। ସବୁଠାରୁ ବଡ଼ କଥା ହେଉଛି, ଗତବର୍ଷ ଠାରୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢିଛି।