ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଦୀର୍ଘ ୨୦ ବର୍ଷ ପରେ ଆଜି ଏହାର ଲୋକାର୍ପଣ ହୋଇଛି। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି। ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୮୯ଟି ଗାଁ ଏବଂ ବଲାଙ୍ଗିର ଜିଲ୍ଲାର ୧୯ଟି ଗାଁ ଜଳସେଚିତ ହେବ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ପ୍ରାୟ ୧୯ ହଜାର ୯୦୦ ହେକ୍ଟର ଜମି ପାଣି ପାଇବ। ଏହି ପ୍ରକଳ୍ପ ନିର୍ମାଣରେ ୩୧ଟି ଗାଁ ପ୍ରଭାବିତ ହୋଇଥିଲା। ସୂଚନା ଅନୁଯାୟୀ, ପ୍ରାୟ ୧୨ଟି ଗାଁ ସମ୍ପୂର୍ଣ୍ଣ ଏବଂ ୧୯ଟି ଗାଁ ଆଂଶିକ ଭାବେ ବୁଡ଼ି ଯାଇଥିଲା। ଯେଉଁଥିରେ ପ୍ରାୟ ୬ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ।

ଆଜିର ନୂଆପଡା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କୋମନା ବ୍ଲକ୍‌ ତିଖାଲି ଡ୍ୟାମ ସାଇଟ୍‌ରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏହାପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ନୂଆପଡ଼ାର ୫୫% ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଦେଇପାରିଛୁ। ୨୦୨୨ ସୁଦ୍ଧା ଜିଲ୍ଲାର ସମସ୍ତ ପରିବାରକୁ ପାଇପ୍‌ରେ ପାନୀୟ ଜଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆପଡ଼ା ଜିଲ୍ଲାର ୯ ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ୍‌ ସମସ୍ୟା ମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଲୋୟର ଇନ୍ଦ୍ର ଡ୍ୟାମ୍‌ ସାଇଟ୍‌ରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ୍‌ ପ୍ରତିଷ୍ଠା ଏବଂ ଖଡ଼ିଆଳ ଓ ନୂଆପଡ଼ାରେ ୨ଟି ଇଣ୍ଡୋର ଷ୍ଟାଡିୟମ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଲୋୟର ଇନ୍ଦ୍ର ସୁକତେଲରେ କେନାଲ କାମ ସରି ନାହିଁ। ଚାଷୀଙ୍କ କ୍ଷେତକୁ ପାଣି ଯାଉ ନ ଥିବା ବେଳେ ଉଦ୍‌ଘାଟନ ଉତ୍ସବ କଣ ପାଇଁ ? ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏ ପ୍ରହସନ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି।

କେନ୍ଦ୍ର ପଇସାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଫିତା କାଟିବାରେ ବ୍ୟସ୍ତ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।

You might also like