ବୁଲା କୁକୁର ଓ ଗାଇଗୋରୁଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବୁଲା ଗୋରୁଙ୍କ ପାଇଁ ୬୦ ଲକ୍ଷ

  • ବୁଲା ଗୋରୁଙ୍କ ପାଇଁ ୬୦ ଲକ୍ଷ
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ମଞ୍ଜୁର
  • ଲକଡାଉନ୍‌ରେ ବୁଲା ଗାଇଗୋରୁଙ୍କ ଖାଇବା ପାଇଁ ବ୍ୟବସ୍ଥା
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି
  • ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟିକୁ ସହାୟତା
  • ୬୧ଟି ଏନ୍ଏସିକୁ ସହାୟତା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର। ଏଭଳି ସ୍ଥିତିରେ ବୁଲା ଗାଇଗୋରୁ ଓ ବୁଲା କୁକୁରମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବୁଲା ଗାଇଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୦ ଲଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନ୍ଏସିମାନଙ୍କୁ ଏହି ସହାୟତା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚ କରିପାରିବ। ସେହିପରି କଟକ, ସମ୍ବଲପୁର, ରାଉରକେଲା, ଓ ବ୍ରହ୍ମପୁର ମହାନଗର ନିଗମ ଏଥିଲାଗି ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ମ୍ୟୁନିସିପାଲିଟି ମାନେ ଦୈନିକ ପାଞ୍ଚ ହଜାର ଓ ଏନ୍ଏସିରେ ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

ତେବେ ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଲାଗିଛି। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ଟ୍ୱିନ୍‌ସିଟି ସମେତ ରାଜ୍ୟର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହେବ। ଏହାସହ ଜିଲ୍ଲା ଓ ରାଜ୍ୟର ପ୍ରବେଶ ପଥରେ ଚେକିଂକୁ ବଢ଼ାଇ ଦିଆଯାଇଛି। ଲୋକେ ଘରକରଣା ସାମଗ୍ରୀ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏପରି ନକରିବାକୁ ନିବେଦନ କରିଛନ୍ତି ସ୍ୱତନ୍ତ୍ର  ରିଲିଫ କମିଶନର ପ୍ରଦୀପ ଜେନା।ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ କୌଣସି ଅସୁବିଧା ହେବନି। ଲୋକେ ବ୍ୟଗ୍ର ହୋଇ ଦୋକାନରେ ଗହଳି କରନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି। ଲକଡାଉନ୍‌ରେ ରାଜ୍ୟବ୍ୟାପୀ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଅବଶ୍ୟ, ଆହାର କେନ୍ଦ୍ରରେ ଖାଇବା ମନା ହୋଇଥିବା ବେଳେ କେବଳ ପାର୍ସଲ ନେଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ତେବେ ଲୋକେ ହୋଟେଲ୍‌ ଆଦିରେ ଖାଉନଥିବାରୁ ଏବେ ଭୋକରେ ଆଉଟୁପାଉଟି ହେଉଛି ବୁଲା ପଶୁ। ଆଉ ଏହାରି ମଧ୍ୟରେ ସରକାରଙ୍କର ଏହି ନିଷ୍ପତ୍ତି ସେମାନଙ୍କର ଭୋକକୁ ନିଶ୍ଚୟ ମେଂଟାଇପାରିବ ବୋଲି କୁହାଯାଉଛି।

You might also like