ଦୁଇଦିନରେ ୮ ଜିଲ୍ଲାରୁ ୪୩ ଦଲାଲ ଗିରଫ; ଆର୍‌ଟି ଅଫିସ୍ ଓ ଡାକ୍ତରଖାନାରେ ଦଲାଲି କରୁଥିଲେ

ଭୁବନେଶ୍ୱର: ଦୁଇ ଦିନରେ ରାଜ୍ୟର ବିଭିନ୍ନ ମେଡିକାଲ୍‌ରୁ ଧରାଗଲେଣି ୩୦ ଦଲାଲ। ଏଥିରେ ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମ୍‌ସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଓ ନବରଙ୍ଗପୁରରୁ ୨ ଦଲାଲ ଅଛନ୍ତି। ଦଲାଲମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଓ ଏସ୍‌ପିମାନେ ଏପରି ଏହି ଚଢ଼ଉ କରିଛନ୍ତି।

ସମ୍ୱଲପୁର ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରୁ ୫ ଜଣ ଦଲାଲ ଗିରଫ ହୋଇଛନ୍ତି। ଗିରଫ ଦଲାଲଙ୍କ ଭିତରୁ ଜଣଙ୍କ ଘର ସମ୍ବଲପୁର ସହରରେ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ଘର ବୁର୍ଲାରେ। ଏଠାକୁ ଆସୁଥିବା ରୋଗୀଙ୍କୁ ଭୁଆଁ ବୁଲାଇ ଏମାନେ ଘରୋଇ ନର୍ସିଂହୋମକୁ ପଠାଉଥିବା ନେଇ ସୂଚନା ମିଳିଛି।

ଏପଟେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରୁ ଧରାପଡ଼ିଛନ୍ତି ୫ ଦଲାଲ। ଏମାନଙ୍କୁ ଧରିବା ପାଇଁ ସାଧା ପୋଷାକରେ ହସ୍‌ପିଟାଲ ପରିସରରେ ଜଗି ରହିଥିଲେ ପୁଲିସ। ସରକାରୀ ଡାକ୍ତରଖାନାରୁ ଘରୋଇ ନର୍ସିଂ ହୋମ୍‌ ଓ ଘରୋଇ କ୍ଳିନିକକୁ କିଏ ରୋଗୀଙ୍କୁ ଡାକି ନେଉଛି? କିଭଳି ଢଙ୍ଗରେ ନିଆଯାଉଛି? ତାହା ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ। ଏହା ସତ୍ତ୍ୱେ ଦଲାଲମାନେ ସେମାନଙ୍କ କାୟା ବିସ୍ତାର କରୁଥିଲେ। ଆଉଟ୍‌ଡୋର ଟିକେଟ୍‌ ନେଇ ନିଜକୁ ରୋଗୀ ବୋଲି କହି ଚାଲି ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ ଦଲାଲ। ଏହି ଚଢ଼ଉରେ ଜିଲ୍ଲାପାଳ ଓ ଏସ୍‌ପି ସାମିଲ ଥିଲେ। ଏଥିରେ ନର୍ସିଂହୋମ କିମ୍ବା ଆଉ କାହାର ସଂପୃକ୍ତି ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ ଅଧିକାରୀ।

ଏପଟେ କ୍ୟାପିଟାଲ ହସ୍ପିଟାଲରୁ ଧରାପଡିଥିବା ୪ ଦଲାଲଙ୍କ ମଧ୍ୟରୁ ୩ ଜଣ ମେଡିସିନ୍‌ ରିପ୍ରେଜେଣ୍ଟିଭ(ଏମ୍‌ଆର୍‌) ଅଛନ୍ତି। ଆଗକୁ ଏମ୍‌ଆରଙ୍କ ପ୍ରବେଶ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ। ଯଦି ଏଥିରେ ଡାକ୍ତରଙ୍କ ଲିଙ୍କ୍ ବାହାରିଲେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ କର୍ତ୍ତୃପକ୍ଷକହିଛନ୍ତି। ଅପରପଟେ ଏହି ଅଭିଯାନକୁ ଆଗକୁ କଡାକଡି କରାଯିବ ବୋଲି କହିଛନ୍ତି ପୁଲିସ କମିଶନର ସୁଂଧାଶୁ ଷଡ଼ଙ୍ଗୀ କହିଛନ୍ତି।

ତେବେ କେବଳ ହସ୍ପିଟାଲ ନୁହଁ ଆରଟିଓ ଅଫିସରେ ବି ଦଲାଲଙ୍କ ପ୍ରାଦୁର୍ଭାବ ଆହୁରି ଅଧିକା। ଭୁବନେଶ୍ୱରୁରୁ ନୟାଗଡ, କଟକରୁ ଚଣ୍ଡିଖୋଲ ସବୁଠି ଲୋକଙ୍କୁ ଚୁନ ଲଗାଇ ଲୁଟୁଥିବା ଦଲାଲଙ୍କ କଳା କାରନାମା ଉପରେ ଖବର ଦେଖାଇଥିଲା ଓଟିଭି। ଏବେ ୧୫ ଦିନରେ ଆରଟିଓ ଅଫିସରରୁ ଦଲାଲ ରାଜ ସମାପ୍ତ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ଦ୍ଦେଶ ପାଉ ପାଉ ଆରଟିଓ ଅଫିସରୁ ଦଲାଲ ଧରା ଅଭିଯାନ ବି ଆରମ୍ଭ ହୋଇଛି ବଲାଙ୍ଗୀର ଆରଟିଓ ଅଫିସରୁ ଧରା ହୋଇଛନ୍ତି ୫ ଦଲାଲ। ରାଉରକେଲା ଆର୍‌ଟିଓରୁ ଧରାହେଲେଣି ୮ ଜଣ। ଆର୍‌ଟିଓ ଓ ହସ୍ପିଟାଲରୁ ମିଶି ଏବେ ସୁଦ୍ଧା ୪୩ ଦଲାଲ୍ ଧରା ପଡ଼ିଲେଣି।

ସରକାରୀ ହସ୍ପିଟାଲରେ ଦଲାଲଙ୍କୁ ଧରିବାପାଇଁ ସ୍ପେଶାଲ ଡ୍ରାଇଭ ସବୁଦିନ ଜାରି ରହିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି। ସ୍ୱଚ୍ଛତା ଆଣିବା ଦିଗରେ ସବୁ ଜିଲ୍ଲାର ଏସ୍‌ପିଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହାସହ ଦଲାଲଙ୍କ ନର୍ସିଂ ହୋମ, ଡାଇଗ୍ନୋଷ୍ଟିକ ସେଣ୍ଟର ସହ ଲିଙ୍କର ଖୋଳତାଡ଼ କରାଯାଉଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଗତ ଦୁଇଦିନ ମଧ୍ୟରେ ୮ ଜିଲ୍ଲାରେ ୩୦ଜଣ ଦଲାଲ ଗିରଫ ହୋଇଛନ୍ତି। ଦଲାଲମାନେ ଗରିବ ରୋଗୀ ଓ ତାଙ୍କ ସହାୟକଙ୍କଠାରୁ ଅର୍ଥ ହଡପ୍‌ କରୁଛନ୍ତି।

ଆହୁରି ପଢ଼ନ୍ତୁ

You might also like