ଅାଉ ପାଦେ ବଢିଛି ବିଧାନ ପରିଷଦ ଗଠନ ପକ୍ରିୟା

ଭୁବନେଶ୍ୱର : ଅାଉ ପାଦେ ବଢିଛି ବିଧାନ ପରିଷଦ ଗଠନ ପକ୍ରିୟା। ମିଳିଛି କ୍ୟାବିନେଟ୍‌ର ଅନୁମୋଦନ। ବିଧାନ ପରିଷଦ ଗଠନ ନେଇ ଅନୁଧ୍ୟାନ କମିଟି ରିପୋର୍ଟ ଦେବା ପରେ ଅାଜି କ୍ୟାବିନେଟ୍‌ରେ ବିସ୍ତୃତ ଭାବେ ଅାଲୋଚନା ହୋଇଥିଲା। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ତେଲେଙ୍ଗାନ ରାଜ୍ୟରେ ବିଧାନ ପରିଷଦ ଗଠନ , କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବାପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ତେବେ ବିଧାନ ପରିଷଦ ସଂପର୍କିତ ସଂଙ୍କଳ୍ପ ସେପ୍ଟେମ୍ବର ୪ତାରିଖରୁ ଅାରମ୍ଭ ହେଉଥିବା ମନସୁନ୍ ସେସନ୍‌ରେ ପାରିତ ହୋଇ କେନ୍ଦ୍ରକୁ ପଠାଯିବ। ତେବେ ୪୯ ଜଣ ସଦସ୍ୟ ଏହି ପରିଷଦରେ ରହିବେ। ୧୬ ଜଣ ସଦସ୍ୟଙ୍କୁ ବିଧାୟକ, ଅାଉ ୧୬ ଜଣଙ୍କୁ ସମତି ସଭ୍ୟ, ଜିଲ୍ଲାପରିଷଦ ଓ ପୌରପରିଷଦର ସଦସ୍ୟମାନେ ନିର୍ବାଚିତ କରିପାରିବେ। ୪ଜଣଙ୍କୁ  ଗ୍ରାଜୁଏଟ, ୪ ଜଣ ଶିକ୍ଷକମାନେ ଭୋଟ୍ ଦେଇ ନିର୍ବାଚିତ କରିବେ।

ଅାଉ ୯ ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ। ତେବେ ପରିଷଦ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଭିତ୍ତିଭୂମି ରହିଛି। ଏଥିପାଇଁ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ବିଧାନସଭାରେ ସଙ୍କଳ୍ପ ପାରିତ ହେବାପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ରାଜ୍ୟ ସରକାର। ତାପରେ ସଂସଦରେ ପାସ୍ ହୋଇ ରାଷ୍ଟ୍ରପତି ପାଖକୁ ଅାଇନ ଟି ଅନୁମୋଦନ ପାଇଁ ଯିବ।

ଜାନୁାୟାରୀ ୩୧ , ୨୦୧୫ରେ ଟିମ୍ କର୍ଣ୍ଣାଟକ, ମହାରାଷ୍ଟ୍ର ଗସ୍ତ କରିବାପରେ  ସାଢେ ୩ ବର୍ଷ ଧରି ଚୁପ୍ ବସିଥିଲେ ରାଜ୍ୟ ସରକାର। ଏବେ କାହିଁକି ତରବରିଅା ଭାବେ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର। ଲୋକଙ୍କ ସ୍ୱାର୍ଥ ପାଇଁ ନା ଦଳୀୟ ସ୍ୱାର୍ଥ ପାଇଁ। ବିଜେଡିରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏହି ଲଲିପପ୍। ତାହା ସହ ବିଜେଡିରେ ଯୋଗ ଦେଇଥିବା ଅନ୍ୟ ଦଳର ନେତା, ସାଧାରଣ ନିର୍ବାଚନରେ ଟିକଟ କାଟିବାକୁ ଥିବା ବିଧାୟକଙ୍କୁ ଥଇଥାନ ପାଇଁ ଏହି ଚାଲ ବୋଲି ଚର୍ଚ୍ଚା ହେଉଛି।

ସେପଟେ କେନ୍ଦ୍ର ସରକାରଙ୍କ ପାଖକୁ ଏହି ବଲ୍ ଗଡାଇ ବିଜେଡି ସେଫ୍ ଗେମ୍ ଖେଳିବାକୁ ଚାହୁଁଛି ନା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଡିଲ୍ ହୋଇଥିବାରୁ ତରବରିଅା ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ବିରୋଧୀ ବି କଡ଼ା ସମାଲୋଚନା କରିଛନ୍ତି।

ଦେଶର ୭ଟି ରାଜ୍ୟରେ ବିଧାନ ପରିଷଦ ଏବେ କାର୍ଯ୍ୟକାରୀ ହେଉଛି । ଅାଉ କିଛି ରାଜ୍ୟରେ ଏହା ଝୁଲି ରହିଛି। ଏଭଳି ସ୍ଥିତିରେ ପରିଷଦ ଗଠନ ହେଲେ ରାଜ୍ୟର କଣ ଲାଭ ମିଳିବ, ତା ଉପରେ ନଜର ରହିଛି।

You might also like