ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର

୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ, ରୋଗୀଙ୍କୁ ମିଳିବ ୧୦୦ ପ୍ରତିଶତ ମାଗଣା ଚିକିତ୍ସା

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର । ଭୁବନେଶ୍ୱରରେ ହେବ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ । ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିିଳିବ । ଏହି ପାଲିଆଟିଭ କେୟାର ସେଣ୍ଟରରେ ପ୍ରଥମେ ୧୦୦ ଶଯ୍ୟାବିଶିଷ୍ଟ ରୋଗୀସେବା ଆରମ୍ଭ କରାଯିବ , ଆଉ ତା’ପରେ ଏହାକୁ ସଂପ୍ରସାରଣ କରାଯିବାର ବ୍ୟବସ୍ଥା କରାଯିବ ।

ଏଥିସହ ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ ମିଳିଛି । କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି ଟଙ୍କା । କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ । ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ । ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ।

ଏଥିସହ ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ମାନଙ୍କ ସହ ଭାଗିଦାରିରେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅନ୍ୱେଷା ଯୋଜନାକୁ ଆଉ ୫ବର୍ଷ ଚାଲୁ ରଖିବା ପ୍ରସ୍ତାବକୁ ମିଳିଛି  ମଂଜୁରୀ । ଏଥିପାଇଁ ୨୦୨୦-୨୧ରୁ ୨୦୨୪-୨୫ ବର୍ଷ ପାଇଁ ୫୬୯ କୋଟି ୯୦ଲକ୍ଷ ବ୍ୟୟ ଅଟକଳ ରଖାଯାଇଛି । ଆସନ୍ତା ୫ବର୍ଷ ଭିତରେ ଏହି ଯୋଜନାରେ ଅଢ଼େଇ ହଜାର ନୂଆଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

You might also like