୨୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ପ୍ରବାସୀଙ୍କୁ ରୋଜଗାର ଦେବେ ସରକାର

ଭୁବନେଶ୍ୱର: ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ।

ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଜମି ଯୋଗାଇବ ସଂସ୍ଥା। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି। ଏଣିକି ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରାଯିବ।

ସେହିଭଳି ଚାଷୀଙ୍କ ଉତ୍ପାଦିତ ଶସ୍ୟ, ପନି ପରିବା ବିକ୍ରି ପାଇଁ ଇ-ମାର୍କେଟ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି। ଯାହାଦ୍ୱାରା ଚାଷୀ ନିଜ ଫସଲ ସହଜରେ ବିକ୍ରି କରିପାରିବ। ସେହିପରି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପ୍ରାଧୀକରଣ-OREDA ଶକ୍ତି ବିଭାଗ ଅଧୀନକୁ ଆଣିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି କିଛି ଦିନ ତଳେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଭାଟ୍ ବଢ଼ାଇଥିଲେ। ଏନେଇ ବିଧିବଦ୍ଧ ଭାବେ ପ୍ରସ୍ତାବକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି। ଲକଡାଉନ୍ ପରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କୁ ଏଣିକି ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ଦିଆଯିବ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା କରାଯିବ। ବିଶେଷ ଭାବେ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ। ଏହିପରି ଭାବେ ମୋଟ୍ ୨୨ଟି ପ୍ରସ୍ତାବକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିସିରେ କ୍ୟାବିନେଟ୍ ବୈଠକ ହୋଇଥିଲା।

You might also like