IAS ପାଇବା ପଛର ସିକ୍ରେଟ୍‌ କହିଲେ ଅନୁପ

ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ। ଆମେ ସମାଜଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି। ସମାଜ ପାଇଁ କିଛି କରିବାକୁ ହେଲେ ସିଭିଲ୍ ସର୍ଭିସ୍ ଗୋଟିଏ ବେଷ୍ଟ ଅପ୍‌ସନ୍ ବୋଲି କହିଛନ୍ତି UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ପୁଅ ଅନୁପ ଦାସ। ଏହି ଅବସରରେ ଅନୁପଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ଚନ୍ଦନ କୁମାର। 

ପ୍ର: ଯେତେବେଳେ ସିଭିଲ ସର୍ଭିସ୍‌ରେ କୃତକାର୍ଯ୍ୟ  ହୋଇଥିବାର ଖବର ଜାଣିଲେ, ସେତେବେଳେ ଆପଣଙ୍କ Reaction କଣ ଥିଲା?

ଉ: ଯେତେବେଳେ ମୁଁ ୧୨୦ rankରେ ରହିଥିବା ଖବର ଜାଣିଲି ମୁଁ ବହୁତ ଖୁସି ହୋଇଗଲି। ଗୋଟିଏ ବର୍ଷର କଠିନ ପରିଶ୍ରମ ମୋ ପାଇଁ ରଙ୍ଗ ଆଣିଦେଲା।

ପ୍ର: ଏ ସଫଳତାର ଶ୍ରେୟ ଆପଣ କାହାକୁ ଦେବେ?

ଉ: ମୋ ସଫଳତାର ଶ୍ରେୟ ମୋର ପରିବାର, ଶିକ୍ଷକ ଓ ମୋର ସାଙ୍ଗଙ୍କୁ ଦେବି, ଯେଉଁମାନେ ମୋତେ ସବୁବେଳେ ସାହାଯ୍ୟ କରିଆସିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। ମୋର କଠିନ  ପରିଶ୍ରମର ମୂଲ୍ୟ ମୁଁ ଆଜି ପାଇପାରିଛି।

ପ୍ର: ଆପଣଙ୍କ କ୍ୟାରିୟର ସମ୍ପର୍କରେ କିଛି କହିବେ?

ଉ: ମୁଁ ପାରାଦୀପ ପୋର୍ଟ କେନ୍ଦ୍ରୀୟ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ କରିଥିଲି। ଭୁବନେଶ୍ୱର ବିଜେବି କଲେଜରୁ +2 ପାସ୍ କରିଥିଲି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜରୁ Zoology ସମ୍ମାନରେ ଗ୍ରାଜୁଏସନ୍ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଜି ପାସ୍ କରିଥିଲି।

ପ୍ର: ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ଇଚ୍ଛା ପ୍ରକାଶ କଲେ କାହିଁକି?

ଉ: ପିଲାଦିନୁ ହିଁ ମୋତେ ମୋ ବାପା ମା ପ୍ରେରଣା ଦେଇଥିଲେ। ଆମେ ଯେତେବେଳେ ସମାଜ ଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି। ସମାଜ ପାଇଁ କିଛି କରିବାକୁ ହେଲେ ସିଭିଲ୍ ସର୍ଭିସ୍ ଗୋଟିଏ ବେଷ୍ଟ ଅପ୍‌ସନ୍।

ପ୍ର: ସିଭିଲ ସର୍ଭିସ ପାଇଁ ଆପଣଙ୍କ ପରିଶ୍ରମ କିପରି ଥିଲା?

ଉ: ମୋର ପରିଶ୍ରମ ୩ ପ୍ରକାରର ଥିଲା। ପ୍ରଥମ ହେଲା କଠିନ ପରିଶ୍ରମ, ଯାହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଦ୍ୱିତୀୟଟି ହେଲା ପ୍ଲାନିଂ ଅର୍ଥାତ୍ ପ୍ରତି ସପ୍ତାହରେ କଣ ପଢିବା ଉଚିତ୍, କେତେ ସିଲାବସ୍ ସମ୍ପୂର୍ଣ୍ଣ କରିବାର ଅଛି। ଏସବୁକୁ ମୁଁ ବହୁତ ଭଲ ଭାବରେ ପ୍ଲାନ୍ କରିଥିଲି। ତା” ସହିତ ଦୃଢ ମନୋବଳ ରହିବା ଦରକାର। ଏହି ୩ଟି ଥିଲା ମୋର ଷ୍ଟ୍ରାଟେଜି।

ପ୍ର: ଆପଣଙ୍କ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା (Interview) ଲକ୍‌ଡାଉନ୍ ସମୟରେ ହୋଇଥିଲା, ଏପରି ସମସ୍ୟାକୁ ଆପଣ କିପରି ମ୍ୟାନେଜ କରିଥିଲେ?

ଉ: ମୁଁ ଲକ୍‌ଡାଉନ୍ ସମୟରେ ଆଦୌ ଡିପ୍ରେସନ୍‌ରେ ନଥିଲି। ମୋ ପାଖରେ ବହି, କରେଣ୍ଟ ଆଫେୟାର, ନ୍ୟୁଜ ପେପର, ଇଣ୍ଟରନେଟ୍ ସବୁ ଉପଲବ୍ଧ ଥିଲା। ଲକ୍‌ଡାଉନ୍‌ ପାଇଁ ମୋର ନିତିଦିନର ପାଠପଢା କାର୍ଯ୍ୟକ୍ରମ ଆଦୌ ପ୍ରଭାବିତ ହୋଇନଥିଲା।

”ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ, ଯାହା ଆପଣଙ୍କର ମୂଲ୍ୟ ବଢ଼ାଇବ। ଆମେ ଯେତେବେଳେ ସମାଜ ଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି”

ପ୍ର: ଆପଣ କେଉଁ ବିଭାଗରେ ରହିବାକୁ ଇଚ୍ଛା ପ୍ରକାଶ କରିବେ?

ଉ: ମୋତେ ଯଦି ଅପ୍‌ସନ୍ ଦିଆଯାଏ ତେବେ ମୁଁ ଶିକ୍ଷା ବିଭାଗ (Education Dept.)କୁ  ଅଧିକ ପ୍ରାଧାନ୍ୟ ଦେବି। କାହିଁକିନା ଶିକ୍ଷା ବ୍ୟବସ୍ଥାର ମୁଁ ଜଣେ ପ୍ରଡକ୍ଟ। ମୁଁ ଜାଣିଛି ଆମ ଶିକ୍ଷାରେ କଣ ଭଲ ଓ କଣ ମନ୍ଦ, ଆଉ କିପରି ଭଲ ହୋଇପାରିବ, ତାହା ମୁଁ ନିଜେ ଅନୁଭବ କରିଛି। ଏହାଛଡା ମୋତେ ଅନ୍ୟ ବିଭାଗ ପାଇଁ ଯେଉଁ ଦାୟିତ୍ୱ ମିଳିଲେ ବି ମୁଁ ଯଥା ସମ୍ଭବ କାର୍ଯ୍ୟ ତୁଲାଇବି।

ପ୍ର: ବର୍ତ୍ତମାନର ଯୁବପିଢିଙ୍କୁ ଆପଣ କଣ ପରାମର୍ଶ ଦେବେ?

ଉ: ଯୁବପିଢିଙ୍କ ପାଇଁ ମୁଁ ୨ଟି ସୂତ୍ର କହିବି, ଯାହା ଜୀବନରେ ବହୁତ ଆବଶ୍ୟକ। ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ, ଯାହା ଆପଣଙ୍କର ମୂଲ୍ୟ ବଢ଼ାଇବ।  ଦ୍ୱିତୀୟତଃ ସଟକର୍ଟ ଉପାୟରେ ନୁହେଁ, ଆପଣଙ୍କ ସୁନିୟୋଜିତ କଠିନ ପରିଶ୍ରମ କଲେ ଆପଣ ଯାହା ଚାହିଁବେ ତାହା କରିପାରିବେ।

You might also like