ଓଡ଼ିଆ ପୁଅ ଅବିନାଶ ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬ ବିଜେତା

ଭୁବନେଶ୍ୱର: ଜୟ ହୋ ଓଡ଼ିଶା ! ଓଡ଼ିଆ ପୁଅ ଅବିନାଶ ନାୟକ(୨୭) ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬ର ବିଜେତା ହୋଇଥିବା ସୂଚନା ମିଳିଛି। ନିକଟରେ ଏହି ରିଆଲିଟି ଶୋ’ ସମାପ୍ତ ହୋଇଛି।

ମୁମ୍ବାଇ ଲାଇଭ୍‌ର ରିପୋର୍ଟ ଅନୁସାରେ, କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍‌ ଇଣ୍ଡିଆ ଗ୍ରାଣ୍ଡ୍‌ ଫିନାଲେରେ ଅବିନାଶ ବିଜେତା ହୋଇଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି।

ଫିନାଲେ ରାଉଣ୍ଡ୍‌ରେ ଗଞ୍ଜାମ ଜିଲ୍ଲା ଆସିକାର ଅବିନାଶଙ୍କ ସହ ୩୫ ବର୍ଷୀୟ ଓଇନ୍‌ଡ୍ରିଲା ବାଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ମାଷ୍ଟରସେଫ୍‌ ସିଜନ୍‌ ୬ ସିରିଜ୍‌ର ବିଭିନ୍ନ ଟାସ୍କ ସମ୍ପୂର୍ଣ୍ଣ କରିବା ପରେ ଅବିନାଶ ଏହି ଶୋ’ର ବିଜେତା ହୋଇଥିବା ମୁମ୍ବାଇ ଲାଇଭ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଖୁବ୍‌ କମ୍‌ ସମୟରେ ଅବିନାଶ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ‘ଚିକେନ୍‌ ବେସର’ ପ୍ରସ୍ତୁତ କରି ଏହାକୁ ଜଜ୍‌ ବିକାଶ ଖାନ୍ନା, ରଣବୀର ବ୍ରାର୍ ଓ ଭିନୀତି ଭାଟିଆଙ୍କୁ ପରଷିଥିଲେ। ସେ ପ୍ରସ୍ତୁତ କରିଥିବା ଏହି ଖାଦ୍ୟ କେବଳ ଶୋ’ର ଜଜ୍‌ଙ୍କୁ ଇମ୍ପ୍ରେସ୍ କରି ନ ଥିଲା ବରଂ ସେ ଏହି ଶୋ’ର କ୍ୱାଲିଫାଇଂ ରାଉଣ୍ଡରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲା। ଆଉ ତାଙ୍କୁ ମିଳିଥିଲା ମାଷ୍ଟରସେଫ୍‌ ଆପ୍ରୋନ୍‌। ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସୁନ୍ଦର ଖାଦ୍ୟ ତିଆରି କରିପାରିଥିବାରୁ ଜଜ୍‌ମାନେ ଅବିନାଶଙ୍କୁ କୁଣ୍ଢାଇ ‘ଜୟ ହୋ ଓଡ଼ିଶା’ କହିଥିଲେ।

ଏହି ଶୋ’ରେ ଅନେକ ସମୟରେ ଦେଖିବାକୁ ମିଳିଥିଲା ଅବିନାଶ ଅନେକ ଓଡ଼ିଆ ବ୍ୟଞ୍ଜନ ଉପରେ ଏକ୍ସପେରିମେଣ୍ଟିଂ କରି ଏହାକୁ ପ୍ରସ୍ତୁତ କରି ଜଜ୍‌ଙ୍କୁ ଖୁଆଇ ଇମ୍ପ୍ରେସ୍‌ କରିଥାନ୍ତି। ରେକର୍ଡସ୍‌ ଅନୁସାରେ, ସେ ମାଷ୍ଟର୍‌ସେଫ୍‌ ୬ରେ ୮ଟି ଟାସ୍କ ଜିତିଥିଲେ।

ସୂଚନାଥାଉ କି, ୨୦୧୯ରେ ଅବିନାଶ Lokicooks Fellowship ଗ୍ରହଣ କରିଥିଲେ। ଗତବର୍ଷ Hungry for Haldiramର କୁକିଂ କଣ୍ଟେଷ୍ଟ୍‌ରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସେ ଥିଲେ।

ଡିସେମ୍ୱର ୭ରେ ଷ୍ଟାର ପ୍ଲସ୍‌ରେ ମାଷ୍ଟରସେଫ୍‌ ଇଣ୍ଡିଆ ସିଜନ ୬ ଶୋ’ ପ୍ରସାରିତ ହୋଇଥିଲା। ଏହି ଶୋ’ର ଗ୍ରାଣ୍ଡ୍‌ ଫିନାଲେରେ ପୂର୍ବତନ ମାଷ୍ଟର୍‌ସେଫ୍‌ ଇଣ୍ଡିଆର ବିଜେତାମାନେ ଓ ରିପୁ ଦାମନ୍‌ ହାନ୍ଦା, ଭରୁଣ ଶର୍ମାଙ୍କ ଭଳି ସେଲେବ୍ରିଟି ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ।

You might also like