ମାହାଙ୍ଗା ଡବଲ୍ ମର୍ଡର ମାମଲା: ନ୍ୟାୟ ପାଇଁ ଯୁଦ୍ଧଂ ଦେହି ଡାକରା ଦେଲା ବିଜେପି

ଭୁବନେଶ୍ୱର: ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ହତ୍ୟା ମାମଲାର ଅସଲ ଦୋଷୀ କିଏ? କାରଣ ଯେଉଁ ୧୩ ଜଣଙ୍କ ନାଁ ଏତଲାରେ ଅଛି ସେମାନଙ୍କ ମଧ୍ୟରୁ ଏବେ ବି ୮ ଜଣ ଗିରଫ ହୋଇନାହାନ୍ତି। ବଡ଼କଥା ହେଲା ମୃତ୍ୟୁ ପୂର୍ବରୁ ଦିବ୍ୟସିଂହ କିଛି ଲୋକଙ୍କ ନାଁ ନେଇଥିଲେ ବି ସେ ଦିଗରେ ପୋଲିସ ହାତ ମାରିନଥିବା ଅଭିଯୋଗ ହେଉଛି। ହିଂସା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ରାଜ୍ୟ ସରକାରଙ୍କ କାହିଁକି ଏଭଳି ଆଭିମୁଖ୍ୟ ବୋଲି ପ୍ରଶ୍ନ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି ବିଜେପି। ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ମୃତକଙ୍କ ପରିବାରକୁ ଭେଟିବା ସହ ନ୍ୟାୟ ପାଇଁ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସିଧାସଳଖ ଆହ୍ୱାନ ଦେଇଛନ୍ତି। ନବୀନ ବାବୁ ଟିକେ ବାହାରକୁ ଆସି ଟିକେ ଆଖି କାନ ଖୋଲି ଦେଖନ୍ତୁ ଓ ଶୁଣନ୍ତୁ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ଏଥିସହିତ ଯେପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ ସେପର୍ଯ୍ୟନ୍ତ ଆମେ ତାଙ୍କ ସହିତ ଛିଡ଼ା ହେବୁ ତାଙ୍କ ପାଇଁ ଲଢ଼ିବୁ ବୋଲି କହିବା ସହିତ ତାଙ୍କ ପରିବାରକୁ ଏତେ ହଇରାଣ କରିବା ନବୀନ ବାବୁଙ୍କ ପାଇଁ ଠିକ୍‌ ନୁହେଁ। ଅଭିଶାପ ପଡିଯିବ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

ମୃତକଙ୍କ ପରିବାରକୁ ନ୍ୟାୟ ପାଇଁ ଗ୍ରାଉଣ୍ଡ ଜିରୋରୁ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ଡି. ପୁରନ୍ଦେଶ୍ୱାରୀ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଅସଲ ହତ୍ୟାକାରୀ କିଏ? ଏତଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିଲେ ବି କାହିଁକି ତାଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି ପୋଲିସ୍? ଆଜି ଏଭଳି ଏକାଧିକ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ।

ଏନେଇ ସେ କହିଛନ୍ତି “ଯେବେ ବୟାନ ଦିଆଯାଇଥିଲା, ଆଉ ଯେତେବେଳେ ସମସ୍ତଙ୍କୁ ଜଣା ଅଛି ଯେ ଏହି ହତ୍ୟାରେ ପ୍ରତାପ ଜେନାଙ୍କ ହାତ ରହିଛି ତେବେ କାହିଁକି ତାଙ୍କୁ ଛାଡ଼ି ଦିଆଯାଉଛି। ଏହି ପ୍ରଶ୍ନ ଆମେ ରାଜ୍ୟ ସରକାରଙ୍କୁ ପଚାରୁଛୁ ସେମାନଙ୍କୁ ନ୍ୟାୟ ଦିଅନ୍ତୁ।”

ପ୍ରଥମେ ସେ ନୃତ୍ତାଙ୍ଗ ଗାଁକୁ ଯାଇ ଉଭୟ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପାଇଁ ଆଶ୍ୱାସନା ଦେଇଥିଲେ ପୁରନ୍ଦେଶ୍ୱରୀ। ଏହି ସମୟରେ କେଉଁମାନେ ଏବଂ କାହିଁକି ଷଡ଼ଯନ୍ତ୍ର କରି ହତ୍ୟା କଲେ ପ୍ରଭାରୀଙ୍କୁୁ ଗୋଟି ଗୋଟି କରି ତଥ୍ୟ ବଖାଣିଥିଲେ ଶୋକସନ୍ତପ୍ତ ପରିବାର ସଦସ୍ୟ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ, ଏଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ରାଜ୍ୟ ବିଜେପି ପ୍ରଭାରୀ। ଏଥିସହିତ ନ୍ୟାୟ ଦାବି କରିଥିଲେ।

ପୁରନ୍ଦେଶ୍ୱରୀଙ୍କ ଏପରି ଆହ୍ୱାନ୍‌ର ଯବାବ ରିଖିଛି ବିଜେଡି। ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ଯେଉଁମାନେ ଦୋଷୀ ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଯିଏ ଅସ୍ତ୍ରରେ ଆକ୍ରମଣ କରିଥିଲେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏବଂ ଯେଉଁମାନେ ପୀଡ଼ିତ ସେମାନଙ୍କୁ ନ୍ୟାୟ ମିଳିବ, ଏହା ବିଜୁ ଜନତା ଦଳର ପ୍ରତିବଦ୍ଧତା।”

ଏହି ଡବଲ୍ ମର୍ଡର ମାମଲାରେ ଜଣେ କି ଦୁଇ ଜଣ ନୁହଁନ୍ତି, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପ୍ରାୟ ୧୩ ଜଣଙ୍କ ସଂପୃକ୍ତି ଥିବା ଏତଲାରେ ଦର୍ଶାଯାଇଛି। ତେବେ ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଆଉ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଗ୍ରାମାଞ୍ଚଳ ପୋଲିସ ସୂଚନା ଦେଇଛି। ତେବେ ଆଜି ସୁଦ୍ଧା ୭ ଜଣଙ୍କୁ ପୋଲିସ୍ ଗିରଫ କରିସାରିଲାଣିା ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନାଁ ଏତଲାରେ ରହିଥିଲା। ତେବେ ବଳକା ଅଭିଯୁକ୍ତ କୁଆଡ଼େ ଗଲେ?

ଏତଲାରେ ଥିବା ଆଉ ୮ ଜଣଙ୍କୁ ଗିରଫ ନକରିବା ପଛର କାରଣ କଣ? ମୃତ ଦିବ୍ୟସିଂହ ବରାଳଙ୍କ ପୁଅ ଗଗନ ବିହାରୀ ବରାଳଙ୍କ କହିବା କଥା, ତାଙ୍କ ବାପା ମୃତ୍ୟୁ ପୂର୍ବରୁ ଅନେକ ଲୋକଙ୍କ ନାଁ ନେଇଥିଲେ। କିନ୍ତୁ ସେମାନେ ଏବେ ବାହାରେ ବୁଲୁଛନ୍ତି।

ସେହିପରି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର ମଧ୍ୟ ସମାନ କଥା ଉଠାଇଛନ୍ତି। ଦିବ୍ୟସିଂହଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଗ୍ରହଣ କରି ପୋଲିସ୍ ତଦନ୍ତ କରିବା କଥା, କିନ୍ତୁ ଏପର୍ଯ୍ୟନ୍ତ କରାଯାଇନାହିଁ। ଅଞ୍ଚଳରେ ଯେଉଁ ପୋଲିସ କର୍ମଚାରୀ କାମ କରୁଛନ୍ତି ସେମାନେ ଜଣଙ୍କର ଅନୁଗତ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ପ୍ରକାଶ ମିଶ୍ର। ତେବେ ଏନେଇ ପୋଲିସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସେପଟେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଲଢ଼େଇ ମୁଦ୍ରାରେ ଥିବା ବିଜେପି ବିଭିନ୍ନ ଥାନା ଏବଂ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆସନ୍ତାକାଲି ଡିଜିପି ଅଫିସ୍ ଘେରାଉ କରିବାକୁ ଯାଉଛି।

You might also like