ଜୀବନ ସହ ଜୀବିକାକୁ ବି ଯାତନା ଦେଉଛି ମହାମାରୀ

ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପେଟକୁ ପୁଣି ଶକ୍ତ ଲାତ ମାରିଛି କରୋନାର ଦ୍ୱିତୀୟ ଲହର, ପେଟ ପାଟଣାକୁ ନେଇ କଲବଲ ହେଉଛନ୍ତି ଅଟୋ ଓ ରିକ୍ସା ଚାଳକ

ଭୁବନେଶ୍ୱର, କଟକ(କପିଳେନ୍ଦ୍ର ପ୍ରଧାନ, ବିଶ୍ୱଜିତ୍ ଆଚାର୍ଯ୍ୟ) : ଜୀବନ ସହ ଜୀବିକାକୁ ଯେମିତି ଅକଥନୀୟ ଯାତନା ଦେଇ ଚାଲିଛି ମହାମାରୀ କରୋନା  । ଗତବର୍ଷ ସଟଡାଉନ୍ ଓ ଲକଡାଉନରେ କଲବଲ ହୋଇଥିବା ଖଟିଖିଆ ମଣିଷମାନେ ପୁଣି ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପେଟକୁ ଆଉ ଏକ ଶକ୍ତ ଲାତ ମାରିଛି ଦ୍ୱିତୀୟ ଲହର । ଅଟୋ ହୁଅନ୍ତୁ କି ରିକ୍ସା ଚାଳକ, ସତେ ଯେମିତି ଶଙ୍କା ଓ ସଂଶୟରେ ଆଣ୍ଠେଇଛି ସେମାନଙ୍କ ଜୀବିକା ଗାଡ଼ି ।

ମହାମାରୀର ମାୟାଜାଲରେ ପଡ଼ି ଯେଉଁଠି ଜୀବନ ଥଳକୂଳ ପାଉନି, ସେଠି ଭବିଷ୍ୟତ କଥା ଚିନ୍ତା କରି ଲାଭ ବା କଣ ? କରୋନା କହରରେ ଜୀବିକାକୁ ନେଇ ଚାଲିଥିବା ସଂଘର୍ଷରେ କେତେ ଅସହାୟ ଜଣେ ଖଟିଖିଆ ମଣିଷ ହେଉଛନ୍ତି ଖୋର୍ଦ୍ଧା ନିଧିପୁରର ଅଟୋଚାଳକ କିଶୋର ବାରିକ । ତାଙ୍କ ଅସହାୟତାର ସ୍ୱର ସ୍ପଷ୍ଟ ବାରି ହୋଇପଡ଼ୁଛି । ଭୁବନେଶ୍ୱରରେ ଅଟୋ ଚଲାଇ ପରିବାର ଚଳାନ୍ତି କିଶୋର । ଦୈନିକ ୫ରୁ ୬ଶହ ଟଙ୍କା ରୋଜଗାରରେ ଭଲରେ ଚଳୁଥିଲେ ୫ ପ୍ରାଣୀ କୁଟୁମ୍ବ  । ପୁଅ ପ୍ଲସ୍ ଟୁରେ ପଢ଼ୁଛି, ଝିଅ ନବମରେ ।  ହେଲେ କରୋନାର ଦ୍ୱିତୀୟ ଲହର ପରଠୁ ଯେମିତି ତାଙ୍କ ପେଟ ପାଟଣାକୁ ଲାତ ମାରିଛି । ମହାମାରୀ ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀ ପରିବହନ ସଂଖ୍ୟାରେ ସରକାର କଡ଼ା କଟକଣା ଲଗାଇବା ଦିନଠୁ ସତେ ଯେମିତି ଗ୍ରହଣ ଲାଗିଛି ତାଙ୍କ ରୋଜଗାରରେ । କିଶୋରଙ୍କ ଭଳି ସମାନ ଅବସ୍ଥା ତାଙ୍କର ଅନେକ ସାଥୀଙ୍କର କିଏ ଗାଡ଼ି କିସ୍ତି ଦେବାକୁ ଅସମର୍ଥ ତ ପୁଣି କିଏ ଦୁଇ ଓଳି ଦାନା ଯୋଗାଡ଼ ଚିନ୍ତାରେ ଅସ୍ତବ୍ୟସ୍ତ ।

ତେଣେ ରିକ୍ସା ଚାଳକଙ୍କର ଅବସ୍ଥା ଆହୁରି ସାଂଘାତିକ । ସତେ ଯେମିତି ସେମାନଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି ଏ ମହାମାରୀ । ଯେଉଁଠି ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି କି ଗାଡ଼ି ମୋଟର ଚାଲୁନି ସେଠି ତାଙ୍କ ରିକ୍ସାରେ ବା ବସିବ କିଏ ? ପରିବାର ଚଳାଇବା କଥା ତ ସିଧା ହରି ଭରସାରେ ଛାଡ଼ି ଦେଲେଣି । ସଟଡାଉନ କି ଲକଡାଉନ କଥା ଶୁଣିଲେ ଛାତିରେ ଛନକା ପଶୁଛି । ଅବସ୍ଥା ଅଣାୟତ୍ତ ହେବା ପୂର୍ବରୁ ଅନେକ ଏବେ ଭିଟାମାଟି ମୁହାଁ ।

ଗତବର୍ଷ ଏଇ ତାଲାବନ୍ଦ ସ୍ଥିତି ସାଂଘାତିକ ହୋଇଥିଲା । ଅଟୋ ଚାଳକଙ୍କର ଜୀବନ ବଞ୍ଚାଇବାକୁ କିଏ ସହର ଛାଡ଼ି ଗାଁ ମୁହାଁ ହୋଇଥିଲା ତ ପୁଣି କିଏ ଧାର ଉଧାରରେ ବୁଡିଥିଲା । ୬ମାସ ତଳେ ସମସ୍ୟା ସମାନ୍ୟ ହେଲା ବେଳକୁ ପୁଣି ଅଣ୍ଟାକୁ ଗୋଇଠେ ମାରିଛି ପ୍ରାଣଘାତୀ କରୋନା ଏଭଳି ସ୍ଥିତିରେ ସରକାର ସାହାଯ୍ୟ ନକଲେ ଯେମିତି ସେମାନଙ୍କ ପରିବାର ଭୋକରେ ଶୋଇବା ନିଶ୍ଚିତ ବୋଲି ଧରି ନେଲେଣି । ମହାମାରୀ ଯେତିକି ମାଡୁଛି, ଖଟିଖିଆଙ୍କ ପେଟ ସେତିକି ପୋଡ଼ି ଯାଉଛି । ପ୍ରଶ୍ନ କେତେ ଦିନ ଆଉ ଦାଉ ସାଧିବ ଏ ଅଦୃଶ୍ୟ ଭୂତାଣୁ, କେବେ ସୁଧୁରିବ ସେମାନଙ୍କ ଅବସ୍ଥା ।

You might also like