ବିଧାନସଭାକୁ ଯଦି ଚଲାଇ ପାରୁନୁ, ତା’ହେଲେ ଏଠି ରହିବା ପାଇଁ ଆମେ ଯୋଗ୍ୟ ନୁହେଁ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳ ନେତାଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଆଜି ବିଧାନସଭା ଅଚଳ ହେବା ପରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା, ତେଣୁ ଆମେ ଯାଇଥିଲୁ। ତେବେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର। ବିଧାନସଭା ଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର। ବିଧାନସଭାକୁ ଆମେ ଯଦି ଚଲାଇ ପାରୁନାହୁଁ, ତା’ହେଲେ ଆମେ ସମସ୍ତେ ନିଜକୁ ନିଜେ ପଚାରିବା ଦରକାର, ଏଥିପାଇଁ ଆମକୁ କ’ଣ କରିବାକୁ ପଡ଼ିବ। ଯଦି ଆମେ ନିଜେ ନିଜକୁ ପ୍ରଶ୍ନ ପଚାରି ପାରିବା ନାହିଁ ଓ ଏହାର ଉତ୍ତର ଖୋଜି ବାହାର କରିପାରିବା ନାହିଁ, ତା’ହେଲେ ଆମେ କେହି ବିଧାନସଭାରେ ରହିବା ପାଇଁ ଯୋଗ୍ୟ ନୁହେଁ।’

୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ଆଜି ଗୃହରେ ଶାସକ ଦଳ ସଦସ୍ୟ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରୁଥିବା ବେଳେ ବିରୋଧୀ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିରୋଧୀ ମଣ୍ଡି ସମସ୍ୟା ନେଇ ହଟ୍ଟଗୋଳ କରିଥିବା ବେଳେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ଅଛି ଶାସକ ଦଳ। ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଓ ପରେ ଅପରାହ୍ଣ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି।

ଗୃହକୁ ଚଳାଇବାକୁ ଦାବି କରି କଂଗ୍ରେସ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବା ସହ ମଣ୍ଡିରେ ଚାଷୀଙ୍କ ସବୁ ଧାନ କିଣିବାକୁ ଦାବି କରିଛି କଂଗ୍ରେସ। ଅନ୍ୟପକ୍ଷେ, ଆଜି ବିଧାନସଭାରେ ବିଜେପିର ସବୁ ବିଧାୟକ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ସକାଳ ୧୦ରୁ ସନ୍ଧ୍ୟା ୭ଟା ଯାଏ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି ହୋଇଛି। ଯଥେଷ୍ଟ କାରଣ ନ ଥାଇ ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

You might also like