ସବୁ ସରକାରୀ ହାଇସ୍କୁଲ ପିଲାଙ୍କୁ ମେଡ଼ିକାଲ୍ ଏବଂ ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ମିଳିବ ୧୫ ପ୍ରତିଶତ ରିଜର୍ଭେସନ

ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ

  • ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ
  • ସରକାରୀ ହାଇସ୍କୁଲ ପିଲାଙ୍କୁ ବୈଷୟିକ ଶିକ୍ଷା ପାଇଁ ୧୫ % ସଂରକ୍ଷଣ
  • ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ରହିବ ୧୫ % ସଂରକ୍ଷଣ
  • ଗୃହରେ ସଂକଳ୍ପ ପାରିତ କଲେ ରାଜ୍ୟ ସରକାର
  • ଦୁର୍ବଳ ଭିତ୍ତିଭୂମିକୁ ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ପାଇଁ ଆଗକୁ ବଢିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଆଡ଼ମିସନ ପାଇଁ ୧୫ % ସିଟ୍ ସଂରକ୍ଷଣ ପାଇଁ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂକଳ୍ପ। ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ.କେ.ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାଓ୍ୱାର କମିଟିର ସୁପାରିଶକ୍ରମେ ଏହି ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ଅଣାଯାଇଥିଲା। ତେବେ ଏହାକୁ ବିରୋଧ ସ୍ୱାଗତ କରିଥିଲେ ବି ସରକାରୀ ସ୍କୁଲର ଦୂର୍ବଳ ଭିତ୍ତିଭୂମି ନେଇ ପ୍ରଶ୍ନ ଉଠାଇଛନ୍ତି।

ସରକାରୀ ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଏଣିକି ବୈଷୟିକ ଶିକ୍ଷା କ୍ଷେତ୍ରରେ ମିଳିବ ସଂରକ୍ଷଣ ସୁବିଧା। ବିଧାନସଭାରେ ସଂରକ୍ଷଣ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ଆଣି ସରକାରୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ଏବଂ ଇଂଜିନିୟରିଂରେ ଆଡ଼ମିଶନ ପାଇଁ ୧୫% ସିଟ୍ ସଂରକ୍ଷଣ ଘୋଷଣା କରିଛନ୍ତି। ସଂରକ୍ଷଣ ବ୍ୟବସ୍ଥା ଲାଗୁ ନେଇ ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାଓ୍ୱାର କମିଟିର ସୁପାରିଶ ଅନୁସାରେ ଏହାକୁ ଲାଗୁ କରାଯିବ ବୋଲି ସୂଚନା ରହିଛି। ନିଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷାରେ ସରକାରୀ ହାଇସ୍କୁଲ ପିଲାଙ୍କ ସଫଳତା ହାର ହ୍ରାସ ପାଉଛି।

ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଚିଂର ଅଭାବ ଥିବାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସେମାନଙ୍କ ସଫଳତା ହାର କମୁଛି। କୋଚିଂ ସେଣ୍ଟର ପ୍ରାୟତଃ ସହରାଞ୍ଚଳରେ ରହୁଛି ଓ ଏଥିରେ କୋଚିଂ ନେବା ଅଧିକ ବ୍ୟୟବହୁଳ ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଣିକି ଏହି ସଂରକ୍ଷଣ ସୁବିଧା ଲାଗୁ ହେବ ବୋଲି ଗୃହରେ ପ୍ରସ୍ତାବ ପାରିତ କରିଛନ୍ତି ରାଜ୍ୟ ସରକାର।

ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟରେ ଏହି ସଂକଳ୍ପ ପାରିତ ହୋଇଥିଲା। ତାସହ ୩ ମାସ ମଧ୍ୟରେ ସମୀକ୍ଷା କରି ରିପୋର୍ଟ ଦେବାକୁ ହାଇପାଓ୍ୱାର କମିଟି ଗଠନ କରାଯାଇଥିଲା। କମିଟିର ତଥ୍ୟ କହୁଛି, ରାଜ୍ୟର ୮୬ % ପିଲା ସରକାରୀ ସ୍କୁଲରେ ପଢୁଥିବାବେଳେ କେବଳ ୨୩ % ମେଡ଼ିକାଲ ଓ ୨୧ % ଇଂଜିନିୟରିଂରେ ଆଡମିଶନ୍ କରୁଛନ୍ତି। ଅପରପକ୍ଷେ ୧୨ % ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପଢୁଥିବାବେଳେ ୬୦ % ଉଭୟ ମେଡ଼ିକାଲ ଓ ଇଂଜିନିୟରିଂ ଆଡମିଶନ୍ ପାଇଁ ସିଟ୍ ପାଉଛନ୍ତି। ଏଦୃଷ୍ଟିରୁ ସଂରକ୍ଷଣ ଲାଗୁ ପାଇଁ ଗୃହରେ ମୁଖ୍ୟମନ୍ତ୍ରୀ ସଂକଳ୍ପ ଆଣିଥିଲେ ଏବଂ ବିରୋଧୀ ବି ସମର୍ଥନ କରିଥିଲେ। ତେବେ ୨୦ ବର୍ଷ ଧରି ରାଜ୍ୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇପାରୁନଥିବାରୁ ପ୍ରଥମେ ସରକାରୀ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ବିକାଶ କରନ୍ତୁ ବୋଲି କହିଛନ୍ତି ବିରୋଧୀ।

ତେବେ ଏହି ନିଷ୍ପତ୍ତି ଦ୍ୱାରା ସରକାରୀ ସ୍କୁଲର କେତେ ଛାତ୍ରଛାତ୍ରୀ ଲାଭବାନ୍ ହେବେ ? ଭିତ୍ତିଭୂମି ନଥିବାରୁ ଘରୋଇ ସ୍କୁଲକୁ ପସନ୍ଦ କରୁଛନ୍ତି ଅଧିକାଂଶ ଅଭିଭାବକ ଓ ଛାତ୍ରଛାତ୍ରୀ। ତେଣୁ ଭିତ୍ତିଭୂମିର ବିକାଶ ବଦଳରେ ସଂରକ୍ଷଣ ଦ୍ୱାରା ସରକାରୀ ସ୍କୁଲ୍ ପିଲା ମେଡ଼ିକାଲ୍ ଓ ବୈଷୟିକ ଶିକ୍ଷାରେ କେତେ ସଫଳ ହେବେ ? ସଂରକ୍ଷଣ ଦ୍ୱାରା ପିଲାଙ୍କ ଭିତରେ ସୃଷ୍ଟି ହେବନି ତ ଅସଙ୍ଗତି ? ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ଛାତ୍ର ଏବଂ ଅଭିଭାବକ।

ନୀଳଗିରିରୁ ବିଶ୍ୱମ୍ବର ଦାସ ଏବଂ ବାଲେଶ୍ୱରରୁ ରଶ୍ଜିରଂଜନ ଦାସଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like