ଅପରାହ୍ନ ୪ଟା ଯାଏ ଗୃହ ମୁଲତବି : ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ବିଧାନସଭାରେ ଆଜି ବି ମୁହାଁଁମୁହିଁ ଶାସକ-ବିରୋଧୀ । ଗୃହ ବାରମ୍ବାର ମୁଲତବି ପ୍ରଶ୍ନକାଳ ଅଚଳ ପରେ ପରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ । ଏହାପୂର୍ବରୁ ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠିନି, ସେପର୍ଯ୍ୟନ୍ତ କଂଗ୍ରେସ ଏଭଳି ରଣନୀତି ଜାରି ରଖିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।  ବିଜେଡି ବିଜେପି ଗୋଟିଏ କଏନର ୨ଟି ପାର୍ଶ୍ୱ । ଉଭୟ ବିଜେଡି, ବିଜେପି ବିଧାନସଭା ନଚାଲୁ ବୋଲି ମିଳିତ ପ୍ରୟାସ କରୁଛନ୍ତି। ଚାଷୀଙ୍କ ଧାନ ନଉଠୁ ଉଭୟେ ଚାହୁଁଛନ୍ତି, କେବଳ ଡ୍ରାମା କରୁଛନ୍ତି ।  ତେଣୁ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ତାରା ।


ସେପଟେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଡ଼ି ବସିଛନ୍ତି ବିଜେଡି ସଦସ୍ୟ । କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭା ଚଳାଇ ଦିଆଯିବ ନାହିଁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଏହାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ତେଣୁ ସେ କ୍ଷମା ମାଗନ୍ତୁ।

You might also like