ଭୁବନେଶ୍ୱର: ଆଜି ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ। ଶାସକ ବିଜେଡି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ପାଣିଗ୍ରାହୀଙ୍କଠୁ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଥିବା ବେଳେ ବିରୋଧୀ ପଞ୍ଜୀକୃତ ସମସ୍ତ ଚାଷୀଙ୍କଠୁ ସରକାର ଧାନ କିଣିବାକୁ ଜିଦ୍ ଧରିବାରୁ ଆଜି ଦିନ ତମାମ ଅଚଳ ରହିଛି ଗୃହ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଗୃହରେ ସୃଷ୍ଟି ହୋଇଥିଲା ଝଡ। ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଧ୍ୟଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଚାଲିଥିବା ବେଳେ ଏପଟେ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ କ୍ଷମା ମାଗିବାକୁ ଦାବି କରି ବିଜେଡି ସଦସ୍ୟ ବି ଜୋରଦାର ପ୍ରତିବାଦ କରିଥିଲେ। ଏପରିକି ଶାସକ ଦଳର ସଦସ୍ୟମାନେ ପ୍ରଥମେ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ରତିବାଦ କରିବା ପରେ ଗୃହର ମଧ୍ୟ ଭାଗକୁ ବି ଚାଲିଯାଇ ହୋହଲ୍ଲା କରିଥିଲେ। ଫଳରେ ଦୁଇଟି ପ୍ରସଙ୍ଗକୁ ନେଇ ତିନି ଦଳର ସଦସ୍ୟଙ୍କ ହଙ୍ଗାମାରୁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଅପରାହ୍ନରେ ମଧ୍ୟ ସ୍ଥିତି ନବଦଳିବାରୁ ଶେଷରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଗୃହ ବାହାରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭା ଚାଲିବ ନାହିଁ। ତେବେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ସୁବାସ କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ମଣ୍ଡିରୁ ଧାନ ନ ଉଠିବା ଯାଏ ଏଭଳି ଦଳ ଆଭିମୁଖ୍ୟ ଜାରି ରହିବ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସରକାର ବେଇମାନୀ କରିଛନ୍ତି କହିବା ସହ ମନ୍ତ୍ରୀମାନେ ଗୃହ ମଧ୍ୟ ଭାଗକୁ ଆସିଥିବାର ଅଭିଯୋଗ ଆଣିଛନ୍ତି।

ସେପଟେ ଶାସକ ଦଳର ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ବିଜେପି ବିଧାୟକ ଗତକାଲି ଗୃହରେ ଯାହା କଲେ ତାହା ବିଧାନସଭାର ମର୍ଯ୍ୟାଦା ହାନୀ କରିଛି। ଯାହା କି ଇତିହାସ ନଜରରେ ମଧ୍ୟ କେବେ ନାହିଁ। ଏମିତି କାମ ଲାଗି ସେ ବିଧାନସଭାରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ପ୍ରତାପ କହିଛନ୍ତି।

ସେପଟେ ଜବାବ ରଖିଛି ବିଜେପି। ଦଳର ବିଧାୟକ ମୋହନ ମାଝୀ କହିଛନ୍ତି ଯେ, କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ସେ ଚାଷୀଙ୍କ ଲାଗି କହୁଛନ୍ତି। ଚାଷୀଙ୍କ ଲାଗି ସେ ଚିନ୍ତିତ ଅଛନ୍ତି। ବିଧାନସଭାରେ ଏ କଥା ସେ ପୂର୍ବରୁ ଉଠାଇଛନ୍ତି କିନ୍ତୁ ସରକାର କାହିଁକି ଗୁରୁତ୍ୱ ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି?

ଆଉ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି। ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ବାଚସ୍ପତିଙ୍କ ପାଖରେ କ୍ଷମତା ଅଛି। ଆଇନ ଅନୁସାରେ ସେ ନିଷ୍ପତ୍ତି ନେଇ ପାରିଥାନ୍ତେ। କିନ୍ତୁ ତାହା ନକରି ଗୃହକୁ ଅଚଳ କାହିଁକି କଲେ? ରାଜ୍ୟରେ ହଜାର ହଜାର କୋଟି ଟଙ୍କାରେ ଧାନ କିଣାରେ ଦୁର୍ନୀତି ହୋଇଛି ଆଉ ସେଠାରେ ସରକାର ଭାଗିଦାରୀ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏପଟେ ଟୋକନ୍ ଅବଧି ସରିଯାଇଥିବାରୁ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀଙ୍କ ଦହଗଞ୍ଜ ଯାଉନି, ଆନ୍ଦୋଳନ ଥମୁନି। ଏମିତି ଦୃଶ୍ୟ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ର ପଦ୍ମପୁରରେ ଦେଖିବାକୁ ମିଳିଥିଲା। ଏଠି ୬ ହଜାରରୁୁ ଅଧିକ ଚାଷୀଙ୍କ ଧାନ ଉଠି ନଥିବାରୁ ପ୍ରତିବାଦରେ ଗତ ୮ ତାରିଖରୁ ଅନଶନରେ ବସିଥିଲେ। ଚାଷୀ ସ୍ଥାନୀୟ ପ୍ରଶାସନର ଅନୁରୋଧ କ୍ରମେ ଗତକାଲିଠୁ ଚାଷୀ ଅନଶନରୁ ହଟିଥିଲେ ବି ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଧାନ କିଣା ଅବ୍ୟବସ୍ଥା ନେଇ ଗୃହରେ ଦୁଇ ଦୁଇ ଥର ମନ୍ତ୍ରୀଙ୍କ ବିବୃତ୍ତି ସତ୍ତ୍ୱେ ନା ମଣ୍ଡିରୁ ଧାନ ଉଠୁଛି କି ନା ଥମୁଛି ବିଧାନସଭାରେ ତାତି। ତେବେ ଦେଖାଯାଉ କେବେ ସ୍ୱାଭାବିକ ହେଉଛି ବିଧାନସଭା ଓ କେବେ ମଣ୍ଡିରୁ ସୁରୁଖୁରୁରେ ଉଠୁଛି ଧାନ।

ପଦ୍ମପୁରରୁ ସୋମେଶ ଚନ୍ଦ୍ର ମହାନ୍ତି, ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

Other Stories