ବଜେଟ୍ ଅଧିବେଶନ ଆରମ୍ଭ, ଅଭିଭାଷଣ ରଖିଲେ ରାଜ୍ୟପାଳ

କରୋନା ନିୟନ୍ତ୍ରଣ: ରାଜ୍ୟ ସରକାରଙ୍କୁ ପ୍ରଶଂସା

  • ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା
  • ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ବଡ଼ଧରଣର ଆଇନଶୃଙ୍ଖଳା ଉପୁଜିନି
  • ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮, ୭୬୦ କୋଟିର ରାଜସ୍ୱ ଆଦାୟ
  • ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭.୩% ଅଧିକ ରାଜସ୍ୱ ଆଦାୟ
  • ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧, ୭୦୦ କୋଟି ଖର୍ଚ୍ଚ ଯୋଜନା

ଭୁବନେଶ୍ୱର: ଆଜିଠୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ଚଳିତଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ବିଧାନସଭାରେ ରାଜ୍ୟପାଳ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଗୃହ ମଧ୍ୟରେ ପହଂଚି ସେ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ଦିବଂଗତ ନେତାଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। କେବଳ ଏତିକି ନୁହେଁ ବରଂ କୋଭିଡ଼୍‌ ଯୋଦ୍ଧା ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରାଯାଇଛି।

ରାଜ୍ୟପାଳ କହିଛନ୍ତି ଯେ, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏହାସହ ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର ବୋଲି କହିଛନ୍ତି ରାଜ୍ୟପାଳ।

କେବଳ ଏତିକି ନୁହେଁ ବରଂ, ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଥିଲା। ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ବଡ଼ଧରଣର ଆଇନଶୃଙ୍ଖଳା ଉପୁଜିନି, ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮, ୭୬୦ କୋଟିର ରାଜସ୍ୱ ଆଦାୟ ହୋଇଥିବା ନେଇ ରାଜ୍ୟପାଳ ଗୃହରେ ନିଜର ଅଭିଭାଷଣରେ କହିଛନ୍ତି।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭.୩% ଅଧିକ ରାଜସ୍ୱ ଆଦାୟ ହୋଇଛି। ରାଜ୍ୟର ଆପତ୍ତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଥିବା କଥା ମଧ୍ୟ କହିଛନ୍ତି ରାଜ୍ୟପାଳ। ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧, ୭୦୦ କୋଟି ଖର୍ଚ୍ଚ ଯୋଜନା କରାଯାଇଛି।  ମୋ ସରକାରର ମିଶନ- ସୁସ୍ଥ ଓଡ଼ିଶା-ସୁଖି ଓଡ଼ିଶା ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ; ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆମ ସରକାରର ମୂଳ ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

You might also like