ମାହାଙ୍ଗା ଡ଼ବଲ ମର୍ଡର ମାମଲାରେ କମ୍ପିଲା ଗୃହ

ହଟ୍ଟଗୋଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ କଣ କରାଯିବ, ସେ ସଂପର୍କରେ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ। ସବୁ ଦଳ ମଧ୍ୟରେ ସହମତି ଆଣି ଗୃହକୁ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି। ବିଜେପି ବିଧାୟକଙ୍କ ହଟ୍ଟଗୋଳ ପାଇଁ ଆଜି ଗୃହ କାର୍ଯ୍ୟବାଧାପ୍ରାପ୍ତ ହୋଇଥିଲା। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜେପି ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। FIR ରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ତାଙ୍କୁ ବହିଷ୍କାର କରିବା ଦାବିରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକ।

ଏହା ସହିତ ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ଦାବି ମଧ୍ୟ କରିଥିଲେ। ଗୃହର ମଧ୍ୟଭାଗକୁ ଆସି ପୋଷ୍ଟର ପ୍ରଦର୍ଶନ ସହିତ ନାରାବାଜି କରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛନ୍ତି। ଯିଏ ବି ଦାୟୀ ତାକୁ ଗିରଫ କରାଯାଉ ବୋଲି କହିଛନ୍ତି ସାଲୁଜା। ପରିସ୍ଥିତି ନ ସୁଧୁରିବାରୁ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

You might also like