ମାଟ୍ରିକ ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଛାଡ଼ ହେଲା ମାଟ୍ରିକ ପରୀକ୍ଷା ଫି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପିଲାଙ୍କ ପରୀକ୍ଷା ଫି ଛାଡ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ। ଫି ଛାଡ଼ ପାଇଁ ରାଜ୍ୟ ସରକାର ୨୭ କୋଟି ବ୍ୟୟଭାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସୂଚନା ଥାଉକି, ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ପଡ଼ିଥାଏ।

ଅନ୍ୟପଟେ ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରି ନାହିଁ। ଏନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ,ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି। ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ହିଁ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେବ।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଘରୋଇ ସ୍କୁଲ୍ ଫି ପ୍ରସଙ୍ଗ ଥିବାରୁ ସରକାର ଚାହିଁଲେ ଘରୋଇ ସ୍କୁଲ୍ ଫି ହ୍ରାସ କରିବା ନେଇ ନିର୍ଦ୍ଦେଶ ଜାରି କରିପାରିବେ। ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ। ଏହାଛଡ଼ା କୌଣସି ଘରୋଇ ସ୍କୁଲ ନିର୍ଦ୍ଦେଶ ଅବମାନନା କଲେ ସରକାର ତାହାର ଏନ୍ଓସି ମଧ୍ୟ ପ୍ରତ୍ୟାହାର କରିପାରିବେ। ଫି କୁ ନେଇ କୌଣସି ଘରୋଇ ସ୍କୁଲ୍ ଲାଭଖୋର ହୋଇପାରିବେ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ।

୧୯୯୬ ମସିହା ସେପ୍ଟେମ୍ବର ୨୩ରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ରିଜୋଲ୍ୟୁସନ ଆଧାରରେ ରାଜ୍ୟ ସରକାର ଫି ଧାର୍ଯ୍ୟ କରିପାରିବେ। ଯେକୌଣସି ଫି ବୃଦ୍ଧି କରିବା ପାଇଁ ଅଭିଭାବକଙ୍କ ସହ ଆଲୋଚନା କରାଯିବ ଓ ପାଠ୍ୟକ୍ରମ ମଝିରେ ଫି ବୃଦ୍ଧି କରାଯାଇପାରିବ ନାହିଁ ବୋଲି ରିଜୋଲ୍ୟୁସନରେ ଦର୍ଶାଯାଇଥିଲା।

ଗତ ୭ ତାରିଖରେ ହାଇକୋର୍ଟ ସ୍କୁଲ ଫି ମାମଲାର ଶୁଣାଣି ଅନ୍ତ ଘଟାଇଥିଲେ। ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ ଗଠିତ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲରେ ଫି ହ୍ରାସ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ହାଇକୋର୍ଟ କହିଥିଲେ।

ସୂଚନାଥାଉ କି, ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ଆପୋସ ସମାଧାନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ। ଏଥିସହ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

 

You might also like