ଇଞ୍ଚେ ବି ଜମି ଆନ୍ଧ୍ରକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ବଢ଼ି ଚାଲିଛି ଆନ୍ଧ୍ରର ଦାଦାଗିରି। କୋଟିଆ ପରେ ଏବେ ସମ୍ବାଇ ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଜାରି ରହିଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରର ଜନପ୍ରତିନିଧି ଓ ଜନସାଧାରଣ ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡା ଗାଁର ରାସ୍ତା ଅବରୋଧ କରିଛନ୍ତି। ଏହି ରାସ୍ତା ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ଆରକୁକୁ ସଂଯୋଗ କରୁଛି। ୭ ଦିନ ହେଲା ଏଠାରେ ଆନ୍ଧ୍ର ପକ୍ଷରୁ ଅବରୋଧ କରି ରଖାଯାଇଛି। ଦୁଇ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଏହି ବିବାଦ ଦେଖା ଦେଇଛି।

ପାଖାପାଖି ୭ ଦିନ ତଳେ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏକତରଫା ଭାବେ ମାପଚୁପ କରାଯାଇଥିଲା। ସୁନାବେଡା ଗାଁକୁ ଆନ୍ଧ୍ରର ଲୋକେ ପଶି ଆସି ସ୍ୱାଗତ ବୋର୍ଡ ଓ ମାଇଲଖୁଣ୍ଟ ଲଗାଇଥିଲେ। ହେଲେ ଓଡ଼ିଶାର ଅଧିକାରୀ ଏହାକୁ କାଢ଼ି ଦେଇଥିଲେ। ତେବେ ଆନ୍ଧ୍ରର ଲୋକପ୍ରତିନିଧି ଓ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରିବା ସହ ପ୍ରତିବାଦରେ ସେମାନେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ୍ ମାର୍ଣ୍ଡି କହିଛନ୍ତି, ସ୍ଥାନୀୟ ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ସଚେତନ ଅଛନ୍ତି, ଇଞ୍ଚେ ବି ଜମି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ।

You might also like