୨୦ରେ ଚର୍ଚ୍ଚାରେ ଥିଲେ ଏହି ୨୦ ନେତା: ଜାଣନ୍ତୁ କିଏ କାହିଁକି ହୋଇଥିଲେ ଚର୍ଚ୍ଚିତ

୨୦୨୦ ମସିହା ରାଜନୀତିରେ ଏଇମାନେ ଥିଲେ ନ୍ୟୁଜମେକର

ଭୁବନେଶ୍ୱର: ୨୦୨୦ ମସିହାରେ ରାଜ୍ୟଠୁ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣାବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ…

ନବୀନ ପଟ୍ଟନାୟକ

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ୨୦୨୦ ମସିହାରେ ବି ଅନେକ ସମୟରେ ନବୀନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା କରାଯାଏ। ସାରା ବିଶ୍ୱ ଯେଉଁ ସମୟରେ କରୋନା ମହାମାରୀରେ ଘାଣ୍ଟି ହେଉଥିଲା ଠିକ ସେହି ସମୟରେ ନବୀନ କରୋନାକୁ ସଠିକ ପରିଚାଳନା କରିବାରେ ସମର୍ଥ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। କେବଳ ଏତିକି ନୁହେଁ ବରଂ ନବୀନଙ୍କ ଗୋଟିଏ ଗୋଟିଏ ନିଷ୍ପତ୍ତି ବେଶ ଚର୍ଚ୍ଚାରେ ରହିଥିଲା।

ବିଶେଷ କରି କରୋନା ସମୟରେ ଯେପରି ଭାବରେ ବନ୍ୟା ଓ ବାତ୍ୟା ଆସିଲା ତାହାକୁ ଯେପରି ସୂଚାରୁରୂପେ ରାଜ୍ୟ ସରକାର ପରିଚାଳନା କଲେ ତାହାକୁ ନେଇ ଜାତୀୟ ସ୍ତରରେ ବେଶ ପ୍ରଶଂସା ସାଉଣ୍ଟିଥିଲେ ନବୀନ।

କରୋନା ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନା ବେଳେ ଅନେକ ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିମଧ୍ୟରୁ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ସହ କର୍ମଜୀବୀଙ୍କ ଫେରିବା ଲାଗି ଜାତୀୟସ୍ତରରେ SOP କରିବାକୁ ମଧ୍ୟ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ।

  • ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍‌କୁ କୋଭିଡ୍ ଜୋନ୍‌ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଥିଲେ।
  • ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟସ୍ତରରେ ନୀତି ନିର୍ଦ୍ଧାରଣ ଓ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯିବା ସପକ୍ଷରେ ମତ ଦେଇଥିଲେ ନବୀନ।
  • ଦେଶର ଅର୍ଥନୀତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଲାଗି ଜାତୀୟସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର ବା SOP ପ୍ରସ୍ତୁତ ପାଇଁ ମୋଦିଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
  • କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡିକ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବାରେ ଏସଓପି ସହାୟତା କରିବ ବୋଲି ସେ ମତ ଦେଇଛନ୍ତି।
  • କୋଭିଡ୍ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ସିଧାସଳଖ ସଂପୃକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଲାଗି ପ୍ରଚଳିତ ସ୍କିମରେ ସଂଶୋଧନ ଲାଗି ପ୍ରସ୍ତାବ ମଧ୍ୟ ରଖିଛନ୍ତି ନବୀନ।
  • ସେହିପରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ସରକାର ଟ୍ରେନ୍ ଚଳାଚଳ ଲାଗି ଯେଭଳି ରାଜ୍ୟମାନଙ୍କ ପରାମର୍ଶ ନେଇଥିଲେ, ଯାତ୍ରୀବାଦୀ ଟ୍ରେନ୍ ସେବା କ୍ଷେତ୍ରରେ ତାହା କରାଯିବା ଉପରେ ନବୀନ ଗୁରୁତ୍ୱ ଦେଇଥିଲେ।

ତେବେ କେବଳ ଏତିକି ନୁହେଁ ବରଂ ପ୍ରବାସୀକୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରାଇଥିଲେ। କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ବି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ଆଦିକୁ ମନ୍ତ୍ର ଭାବେ ଦେଇଥିଲେ ନବୀନ।

ତେବେ କେବଳ ଏତିକି ନୁହେଁ ବରଂ ବିନା କୌଣସି ଭକ୍ତରେ କିପରି ଭାବରେ ରଥାଯାତ୍ରା ଶୃଙ୍ଖଳିତ ହୋଇପାରିବ ସେନେଇ ଅନେକ ନିଷ୍ପତ୍ତି ନେଇଥିଲେ। ତେବେ ଉଚ୍ଚସ୍ତରୀୟ ପଦାଧିକାରୀ ଉପସ୍ଥିତ ରହି ରଥଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରିବାରେ ସମର୍ଥ ହୋଇଥିଲେ। ଅତି ଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚାଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ଶୃଙ୍ଖଳିତ ହୋଇଥିଲା।

କରୋନା ସମୟରେ ବାତ୍ୟା ଓ ବନ୍ୟା ଆସିଥିବା ପରେ ମଧ୍ୟ ସରକାର ଅତି ସତର୍କତାର ସହ ରେସ୍କ୍ୟୁ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ସହ ମାଗମାରେ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇଥିଲେ ରାଜ୍ୟ ସରକାର। କେବଳ ଏତିକି ନୁହେଁ ମଧ୍ୟ କରୋନା ସମୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସଠିକ ସମୟରେ ପେନସନ ଯୋଗାଇ ଦେଇଥିଲେ ନବୀନ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ ଅନୁସାରେ କାମ କରିବାକୁ ବାରମ୍ବାର ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ କରୋନା ଚେନକୁ  ଭାଙ୍ଗିବା ଲାଗି ଠୋସ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଛନ୍ତି ନବୀନ।

କେବଳ ଏତିକି ନୁହେଁ ବରଂ ମାସ୍କ ଓ କୋଭିଡ କିଟ୍ ଦୁର୍ନୀତି ପ୍ରସଙ୍ଗରେ ନବୀନ ସରକାରକୁ ହରଣଘଣାରେ ପକାଇଥିଲେ ବିରୋଧୀ।

ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛି ରାଜ୍ୟ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀ କରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି- ଚଷମା, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍ ଓ ଜ୍ୟାକେଟ୍‌ କିଣାରେ ମହାଦୁର୍ନୀତି ହୋଇଛି।

ଭୁବନେଶ୍ୱର ବମିଖାଲରେ ଥିବା ‘ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନ’ରୁ ୧୨ ଟଙ୍କାର ଚଷମାକୁ ୬୦ ଟଙ୍କାରେ, ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କାରେ, ୧୦ ଟଙ୍କାର ଗ୍ଲୋଭ୍‌ସକୁ ୯୦ ଟଙ୍କାରେ ଏବଂ ୪୫ ଟଙ୍କାର ହେଲ୍‌ମେଟ୍‌କୁ ୧୧୦ ଟଙ୍କାରେ କିଣାଯାଇଛି। ମାଲକାନଗିରି, କଟକ ଓ ଅନୁଗୁଳ ଜିଲ୍ଲାର ଉଦାହରଣ ଦେଇ ଏପରି ତଥ୍ୟ ଦେଇଛନ୍ତି ପ୍ରଦୀପ ମାଝୀ।

ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛରେ ଥିଲା ନୂଆ ନୂଆ ଗୁମର। କରୋନା ସଂକ୍ରମଣ ଆରମ୍ଭବେଳେ ଯେଉଁ ଅତି ଜରୁରୀ ଏନ-୯୫ ମାସ୍କ କିଣିବାକୁ ବାହାର ରାଜ୍ୟର ସଂସ୍ଥାକୁ ଅର୍ଡର ଦେଇଥିଲେ, ସଂକ୍ରମଣ ଶୀର୍ଷରେ ପହଞ୍ଚିବାବେଳକୁ ରାତି ଅଧିଆ ଟେଣ୍ଡର ବାତିଲ୍ କରିଦେଲେ। ଯାହାକି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ଯାହାକୁ ମହାଦୁର୍ନୀତି କହି ବିରୋଧୀ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କରିଛି।

ଖାଲି ଟ୍ରିପଲ୍ ଲେୟାର ମାସ୍କ କି ପିପିଇ କିଣାରେ ନୁହେଁ, N-95 ମାସ୍କ କିଣାରେ ବି କେଳଙ୍କାରୀ ପାଇଁ ଫନ୍ଦି କରିଥିଲେ ରାଜ୍ୟ ସରକାର। ଯାହାର ଖୁଲାସା କରିଛି ଖୋଦ୍ ରାଜ୍ୟ ଔଷଧ ନିଗମର ଟେଣ୍ଡର ବାତିଲ୍ ନୋଟିସ୍। ଘଣ୍ଟାଚକଟା ପରେ ଅତି ତରବରିଆ ଭାବେ ପିପିଇ କିଟ୍ ଓ ଏନ-୯୫ ମାସ୍କ ଟେଣ୍ଡରକୁ କ୍ୟାନସଲ୍ କରିଛି ନିଗମ। ଜୁନ୍ ୮ତାରିଖର ଚିଠି ନଂ ୭୭୩୩ରେ ସ୍ପଷ୍ଟ ଭାବେ ପ୍ରଶାସନିକ କାରଣରୁ ଟେଣ୍ଡର ବାତିଲ୍ ହୋଇଥିବା ଦର୍ଶାଯାଇଛି।

ଅଭିଯୋଗ ପରେ ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ କରାଯିବ। ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।

ନିଜ ଫାଇଦା ପାଇଁ ଭିନ୍ନ ଉଦ୍ଦେଶ୍ୟ ରଖି ହେମନ୍ତ ଶର୍ମା ଓ ଅନ୍ୟ ସରକାରୀ ଅଧିକାରୀ କୋଭିଡ୍ ୧୯ ପାଇଁ ଉଚ୍ଚା ଦରରେ ପିପିଇ କିଟ୍, ମାସ୍କ କିଣିଛନ୍ତି କି ?  ଏହାର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପରି ଦୁର୍ନୀତି ସହ ଶ୍ରୀମନ୍ଦିରରେ ସଠିକ ଭାବରେ ନଗାର୍ଜୁନ ବେଶ ହୋଇନାହିଁ। ଠାକୁରଙ୍କ ସୋଲ ଅଳଙ୍କାର କିଏ ନେଇ ଯାଇଥିବା ସହ ନୟାଗଡ ନାବାଳିକା ଦୁଷ୍କର୍ମ ପରି ଘଟଣା ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ମଳିନ କରିଥିଲା ।

ନରେନ୍ଦ୍ର ମୋଦି

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ରହିଥାଏ। ସବୁଠାରୁ ଗୁରୁତତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ ବାଳ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।

କରୋନା ସମୟରେ ଦେଶବାସୀଙ୍କୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ଚାଉଳ/ଗହମ ମିଳିବ। ଯାହାକି ଗରିବ ଲୋକଙ୍କ ମନରେ ଅନେକ ଆଶ୍ୱସ୍ତି ଆଣିଥିଲା।

କରୋନା ଲାଗି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆର୍ଥିକ ପ୍ୟାକେଜ ଚାଷୀ ଓ ଉଦ୍ୟୋଗୀ ସମସ୍ତଙ୍କୁ ସଶକ୍ତ କରିବ, ସମସ୍ତଙ୍କୁ ଦୃଷ୍ଟିରେ ରଖି ଆର୍ଥିକ ପ୍ୟାକେଜ କରାଯାଇଛିବୋଲି କହିଛନ୍ତି ମୋଦି।

କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି ବାରମ୍ବାର କହିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ଅର୍ଥନୀତି ସୁଧାରିବାକୁ ହେଲେ ପ୍ରଥମେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। କେନ୍ଦ୍ର ଘୋଷଣା କରିଥିବା ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା ବି କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ  ଲୋକାଲକୁ ଭୋକାଲ ଏବଂ ଗ୍ଲୋବାଲରେ ପରିଣତ କରିବା ପାଇଁ କହିଥିଲେ ।

ତେବେ ଲୋକାଲକୁ ଭୋକାଲ କରିବାର ଅର୍ଥ କ‘ଣ ? କାହିଁକି ଏପରି କହିଲେ ପ୍ରଧାନମନ୍ତ୍ରୀ ? ଭାରତରେ ସ୍ୱଦେଶୀ ଆନ୍ଦୋଳନ ୧୯୦୫ରେ ତୀବ୍ର ରୂପ ନେଇଥିଲା। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱଦେଶୀ ଜିନିଷକୁ ଗ୍ରହଣ କରି ବିଦେଶୀ ଜିନିଷକୁ ଗ୍ରହଣ କରିବା। ସେତେବେଳେ ରାଜନେତାମାନେ ଏକଥା ଅନୁଭବ କରିଥିଲେ ଏହାଦ୍ୱାରା ଭାରତୀୟଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ ହୋଇପାରିବ।

କରୋନା ସ୍ଥିତି ପ୍ରତ୍ୟେକ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି। ଭାରତ ପରି ୧୩୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶର ଅବସ୍ଥା ତ ଆହୁରି ଶୋଚନୀୟ ହୋଇପଡ଼ିବ। ତେଣୁ ସେ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଲୋକାଲ ପ୍ରଡକ୍ଟ ଓ ଏହାର ଚାହିଦା ବଢିବ।

ମୋଦି ଖାଲି ଲୋକାଲ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇ ନାହାନ୍ତି। ବରଂ ଏହାର ପ୍ରଚାର, ପ୍ରସାର ଏବଂ ଏହାକୁ ଗ୍ଲୋବାଲାଇଜ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସେ ତାଙ୍କ ଭାଷଣରେ ଲୋକାଲ-ଭୋକାଲ ଏବଂ ଗ୍ଲୋବାଲ କଥା କହିଥିଲେ।

କିନ୍ତୁ ଅନେକ ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡିଛି। କରୋନାକୁ ରୋକିବାକୁ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ ବୋଲି ଅଭିଯୋଗ କରିଥିଲେ ବିରୋଧୀ। କେବଳ ଏତିକି ନୁହେଁ କରୋନା ମହାମାରୀ ସମୟରେ ଦେଶରେ ଦରଦାମ ବଢିଲା ତାହାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଥିଲା। ବିଶେଷ କରି ତୈଳଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେପରି ବଢିଲା ତାହାକୁ ନେଇ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କଲେ ବିରେଧୀ।

କେନ୍ଦ୍ରର ଚିନ୍ତା ବଢାଇ ଦେଲା ଚାଷୀ ଆନ୍ଦୋଳନ। ବାରମ୍ବାର ଆଲୋଚନା ପରେ ବି ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ଚାଷାଙ୍କ କେବଳ ଗୋଟିଏ କଥା ଆଇନ ପ୍ରତ୍ୟାହାର। କିନ୍ତୁ କେନ୍ଦ୍ର ସ୍ପଷ୍ଟ କରିସାରିଛି ଯେ, ଆଇନ ପ୍ରତ୍ୟାହର ହେବ ନାହିଁ ଯାହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ତେବେ କେନ୍ଦ୍ରର ଏହି ନୀତି ଉପରେ ମୋଦିଙ୍କ ଛବି ମଳିନ ପଡିଥିବା ଜୋରସୋରରେ ଚର୍ଚ୍ଚା ଧରିଛି।

ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ୨୦ ମସିହାରେ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି । ଦେଶରେ ଆକ୍ରେଶ ସୃଷ୍ଟି କରିଥିବା ହାଥରସ ଘଟଣାରେ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ। ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ଯାହାକୁ ନେଇ ଗଣମାଧ୍ୟମରେ ବେଶ ଆଲୋଚନା ହୋଇଛି।

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର ସ୍ଥିତିକୁ ତର୍ଜମା କରିବା ତେବେ କଂଗ୍ରେସ ନିଜ ଗୋଡ଼ରେ ନିଜେ କୁରାଢୀ ମାରୁଥିବା ଯେ କେହି ବି ସହଜରେ ବୁଝିପାରିବେ।

ବିଜେପି ଉପରେ ଦୋଷ ଲଦି କଂଗ୍ରେସ ଦେଶବାସୀଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କରିଥାଇପାରେ। ମାତ୍ର ନିଜ ଦୋଷ ଦୁର୍ବଳତାରୁ ଯେ ଦଳ ଅଧଃପତ୍ତନଗାମୀ ହେଉଛି ତାହା ନେତାମାନେ କଣ ବୁଝିପାରୁ ନାହାନ୍ତି? ନା ସବୁ ବୁଝି ଗାନ୍ଧୀ ପରିବାର ପ୍ରତି ଅହେତୁକ ଅନୁକମ୍ପା ହେତୁ ନବୁଝିବାର ଅଭିନୟ କରୁଛନ୍ତି? ଗୋଟିକ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାତରୁ ଖସୁଥିଲେ ମଧ୍ୟ ହାଇକମାଣ୍ଡ ସେଭଳି ବ୍ୟସ୍ତ କିମ୍ବା ବିବ୍ରତ ଦେଖାଯାଉନାହାନ୍ତି। ଏହା ସୋନିଆ ଓ ତାଙ୍କ ଆନୁଗତ୍ୟଙ୍କ ଅସାମର୍ଥ୍ୟ ନା ରାହୁଲଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଭାବେ ଉପସ୍ଥାପିତ କରିବାକୁ ଯୋଜନାବଦ୍ଧ ରଣନୀତି, ତାହା ଅନେକ କଂଗ୍ରେସ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି। ତେବେ ବିହାର ନିର୍ବାଚନରେ ବି କଂଗ୍ରେସର ବିଜୟ ଆଶା ମୌଳି ଯାଇଛି। ନିଜ ଦଳର ନେତାଙ୍କୁ ମନାଇବାରେ ରାହୁଲ ଫେଲ ମାରିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ବିଜେପିରେ ଯୋଗଦେଇଥିଲେ। କିଛି ଏପରି ଘଟଣାରେ ଚର୍ଚାରେ ଥିଲେ ରାହୁଲ ଗାନ୍ଧୀ।

ସୋନିଆ ଗାନ୍ଧୀ

କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ସୋନିଆ ଗାନ୍ଧୀ। ଅନେକ ସମୟରେ ରାଜନୀତିର ପରଦା ପଛରେ ରହି ଏମିତି ଭାବରେ ଗୋଟି ଚାଲନା କରନ୍ତି ଯେ, ସାମ୍ନା ଲୋକ ମଧ୍ୟ ତା’ର ଟେର୍ ପାଇନାହାନ୍ତି। ବିଶେଷ କରି କଂଗ୍ରେସ ଦଳକୁ ମଜବୁତ କରିବାକୁ ଅନବରତ ପ୍ରୟାସ କରନ୍ତି ସୋନିଆ।

କିନ୍ତୁ କିଛି ଏମିତି ସମୟରେ ନିଜର ନିଷ୍ପତ୍ତି ସଠିକ ସମୟରେ ନେଇ ନଥିବାରୁ ଅନେକ ବରିଷ୍ଠ ନେତା ଦଳ ଛାଡି ବିରୋଧୀ ଦଳକୁ ଚାଲିଯାଇଛନ୍ତି। ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ହିଁ କଂଗ୍ରେସ ପାଇଁ କାଳ ସାଜୁଥିବା ଅନେକ କହନ୍ତି। ତେବେ ୨୦ ମସିହାରେ ଅସୁନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ବାରମ୍ବାର ବୈଠକ କରି ଚର୍ଚ୍ଚାରେ ରହିଛି ସୋନିଆ।

ଅମିତ ଶାହା

ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ବିଜେପିର ତୁଙ୍ଗ ନେତା। ଏବେ ନୁହେଁ ବରଂ ବର୍ଷସାରା ଚର୍ଚ୍ଚାରେ ଥାଆନ୍ତି ଶାହା। କେତେବେଳେ ନିଜ ମନ୍ତବ୍ୟ ଲାଗି ଆଉ କେତବେଳେ ନିଜ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି। ୨୦ ମସିହାରେ ବିହାର ନିର୍ବାଚନରେ ଦଳ ଯେପରି ଭାବରେ ବିଜୟ ହେଲା ସେଥିରେ ଶାହା ବେଶ ଖୁସି ହୋଇଥିଲେ। ଦେଶବାସୀଙ୍କୁ କେନ୍ଦ୍ରର ଯୋଜନା ସମ୍ପର୍କରେ ବାରମ୍ବାର ଅବଗତ କରାଇ ଥାଆନ୍ତି ଅମିତ ଶାହା।

ତେବେ କେନ୍ଦ୍ରସରକାର ରାଜ୍ୟକୁ ତାହାର କ୍ଷମତା ସଠିକ ଭାବରେ ଦେଉନଥିବା ଆଉ ଏଥିରେ ମାତ୍ରାଧିକ ହସ୍ତକ୍ଷେପ ଲାଗି ଚର୍ଚ୍ଚାରେ ୨୦ ମସିହାରେ ଥିଲେ ଅମିତ ଶାହା। ଏହାସହ ବିଜେପିର ବଙ୍ଗ ଦଖଲ ପାଇଁ  ଶାହା ସବୁବେଳେ ସଜବାଜ। କିଛିଦିନ ତଳେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଯାଇଥିଲେ କି ଯେଉଁ ସମୟରେ ଦିଦିଙ୍କ ହାତ ଛାଡଇ ଗେରୁଆ ଦଳରେ ମିଶିଥିଲେ ୩୫ କର୍ମୀ। ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପର୍ଯ୍ୟନ୍ତ ମାସକୁ ଥରେ ସେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି। 

ମମତା ବାନାର୍ଜୀ

ନିଜ ବକ୍ତବ୍ୟ ଓ କେନ୍ଦ୍ର ବିରୋଧୀ ସ୍ଲୋଗାନ ଲାଗି ସବୁବେଳେ ଚର୍ଚ୍ଚାରେ ରହୁନ୍ତି ମମତା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ରାଜନୀତିରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦୋହରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ତେବେ ରାଜ୍ୟ ରାଜନୀତି ସମ୍ପର୍କରେ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

କିନ୍ତୁ ପରିସ୍ଥିତି ଏଭଳି ଆସିଛି  ଯାହା ତାଙ୍କୁ ବାଧ୍ୟ କରିଛି ଏମିତି କହିବାକୁ। ନଡ୍ଡାଙ୍କ କାରକେର୍ଡକୁ ଯେପରି ଭାବରେ ଆକ୍ରମଣ କରାଗଲା ତାହାର ପୁରା ଅନୁଧ୍ୟାନ କରାଯାଉଛି। ସବିଶେଷ ତଥ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଯିବା ବେଳେ ପ୍ରବଳ ପଥର ଓ ଇଟା ମାଡ଼ ହୋଇଥିଲା । ନଡ୍ଡାଙ୍କ ସମେତ ଏକାଧିକ ବରିଷ୍ଠ ନେତାଙ୍କ ଗାଡ଼ିର ଭଙ୍ଗାରୁଜା ହୋଇଥିଲା।

ଏହାସହ ମଂଚ ଉପରେ ନାଚିଥିବାରୁ ସୋସିଆଲ ମିଡିଆରେ ମମତାଙ୍କୁ ବେଶ ଚର୍ଚ୍ଚା କରାଯାଇଛି।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।  ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

ମମତାଙ୍କ ଏହି ସାନ୍ତାଳି ନାଚ ଏବେ ସୋସିଆଲ୍ ମିଡିଆରେ ବେଶ ପ୍ରଶଂସା ସାଉଁଟୁଛି। ଗତ କିଛି ଦିନ ଧରି ବିଜେପି ଓ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ମମତାଙ୍କ ଉଗ୍ର ରୂପକୁ ଦେଖିଥିଲେ ଲୋକେ। ତେବେ ମଞ୍ଚ ଉପରେ ବଙ୍ଗଲାବାସୀ ମମତାଙ୍କ ଆଉ ଏକ ଭିନ୍ନ ରୂପକୁ ଦେଖିଛନ୍ତି। ମୋଟ୍ ଉପରେ କହିବାକୁ ଗଲେ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ଚର୍ଚ୍ଚାରେ ରହୁଛନ୍ତି ମମତା।

ନୀତିଶ କୁମାର

ବିହାର ରାଜନୀତି କହିଲେ ନୀତିଶ କୁମାରକୁ ହିଁ ବୁଝାଏ। କାରଣ କେତେ ବେଳେ ଏନଡିଏ ହାତ ଧରି ରାଜନୀତ କରନ୍ତି ତ କେତେବେଳେ ଲାଲୁଙ୍କ ହାତ ଧରି କରନ୍ତି ରାଜନୀତି। ତେବେ ୨୦୨୦ର ବିହାରରେ ହୋଇଥିଲା ସାଧାରଣ ନିର୍ବାଚନ। ତେବେ ଏହାରି ମଧ୍ୟରେ ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥର ନୀତୀଶଙ୍କ ଟିମରେ ୨ ଜଣ ଉପମୁଖ୍ୟମନ୍ତ୍ରୀ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ। ତେବେ ଏନଡିଏ ଅଧିକ ସଂଖ୍ୟାରେ ଆସନରେ ବିଜୟ ହେବା ପରେ ମଧ୍ୟ ନୀତିଶଙ୍କୁ  ବିହାର ମଙ୍ଗ ଧରାଇଛି ବିଜେପି।

ଉଦ୍ଧବ ଠାକରେ

କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ଅନେକ ଥର ହେଲେଣି ଉଦ୍ଧବ। କେତେ ବେଳେ କେନ୍ଦ୍ର ସରକାରଙ୍କ ନୀତିକୁ ତ ଆଉ କେତେବେଳେ କେନ୍ଦ୍ରର କାମକୁ। ତେବେ ୨୦୨୦ରେ ଉଦ୍ଧବ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଯାଇପାରିବେ। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ଯେଉଁଠି ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି, ହାଇକୋର୍ଟ ଗୁଡିକ ଯଥେଷ୍ଟ କାମ କରୁନାହାନ୍ତି।  ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟଗୁଡିକ ସାମ୍ୱିଧାନିକ କୋର୍ଟ, ତେଣୁ ସେମାନଙ୍କଠାରୁ ଏପରି ଆଶା କରାଯାଏ ନାହିଁ କହି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ। ମନେ ରଖା ଏହା ହେଉଛି ସମୟର ଚକ୍ର। ଯାହା ସବୁବେଳେ ଗୋଟିଏ ହୋଇ ରହେ ନାହିଁ। ତେବେ ଏପରି କିଛି ଘଟଣାରେ ସେ ଚର୍ଚ୍ଚାରେ ରହିଥିଲେ।

ଅପରାଜିତା ଷଡଙ୍ଗୀ‌  

ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ। ଲୋକଙ୍କ ସହ ମିଶିକି କାମ କରିବାରେ ସେ ବେଶ ମାହିର। ତେବେ କରୋନା ନିୟମ ଉଲଙ୍ଘନ ମାମଲାରେ ବିଏମସି ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ କରିଦେଇଥିଲା। ଏହାପରେ ରାସ୍ତା ଉପରେ ବସି ଜନଶୁଣାଣି କରିଥିଲେ ସାସଂଦ ଅପରାଜିତା ଷଡଙ୍ଗୀ।

MP Aparajita Sarangiକୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ କରିଛି। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରିଥିଲେ।

ସୂଚନାଥାଉ କି, ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ମାନି ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ୍‌ ପାଇଁ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ ବି କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଥିଲେ ଅପରାଜିତା। ଯେଉଁଥିରେ ରହିଛି ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିଲେ।

mp aparajita sarangiସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩ଶହ ଲୋକ ମାସ୍କ ପିନ୍ଧିନଥିଲେ। ଏହି ଅବସରରେ ସେ କହିଥିଲେ, ଦୈନିକ ୧୩/୧୪ ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି। ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି ଅପରାଜିତା କହିଛନ୍ତି।

୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଯେଉଁମାନେ ପାର୍ଟି ଅଫିସ୍‌ରେ ଥିଲେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତି ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

MP Aparajita Sarangiଏ ସମସ୍ତ ୧୭ ଫଟୋ, ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି ବି କହିଥିଲେ ଅପରାଜିତା। ସେମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଜାଣିବାକୁ ଚିଠି ଲେଖିବି। ୧୫ ଦିନ ଭିତରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି। ଅଫିସ୍ ସିଲ୍ ଥିବା ଯାଏଁ ରାଜରାସ୍ତାରେ ବସି କାର୍ଯ୍ୟାଳୟ ପରି କାମ ବି କରିଥିଲେ। ଅଫିସ୍ ସିଲ୍ କରନ୍ତୁ, ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି ଅପରାଜିତା କହିଥିଲେ।

ସମସ୍ତଙ୍କ ପାଇଁ ଆଇନ ସମାନ ହେବା କଥା, ହଇରାଣ କରନ୍ତୁନି। ଜନ୍ମଦିନରେ ଜଣେ ମହିଳାଙ୍କ ଅନୁରୋଧରେ ୨ ମିନିଟ ପାଇଁ ମାସ୍କ ଖସାଇଥିଲି। ପ୍ରଧାନମନ୍ତ୍ରୀ ମୋର ଆଦର୍ଶ, କୋଭିଡ଼ ଆଇନ ଭଙ୍ଗ ପ୍ରଶ୍ନ ଉଠୁନି ସେ କହିଥିଲେ।

ପ୍ରଦୀପ ପାଣିଗ୍ରାହୀ

ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି।

ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ଗତକାଲିି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ବି ଦିଆଯାଇଥିଲା।

ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଠେଇ ତଦନ୍ତ କେଉଁଯାଏ ଗଲା ପଚାରି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ ବି କରିଥିଲେ  ବିଧାୟକ ପ୍ରଦୀପ ପାଣିଗ୍ରାହୀ?

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରୁ କିଛି ଲୋକ ଉଠାଇ ନେଇଥିବା ପତ୍ନୀ ସୁଜାତା ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏହା ପରେ ଅବଶ୍ୟ କ୍ରାଇମବ୍ରାଞ୍ଚ ଉଠାଇନେଇଥିବା ସ୍ପଷ୍ଟ କଲା।

ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପ୍ରଦୀପଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା।

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି ଦର୍ଶାଇ ଲୋକଙ୍କୁ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ ଓ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅପରାଧରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି। ତେବେ ଏବେ ବି ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ।

ଅରୁଣ ସାହୁ

ପରୀ ହତ୍ୟା ଘଟଣାରେ ରାଜ୍ୟରେ ଅରୁଣ ସାହୁଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଛି। କେବଳ ଚର୍ଚ୍ଚା ହୋଇଛି ତାହା ନୁହେଁ ପରୀ ଘଟଣାରେ ମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ବିରୋଧୀ ଦାବି କରି ଗୃହକୁ ହୁଲୁସ୍ତୁଲ କରିଥିଲେ। ତେବେ ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏକ ଭାଇରାଲ୍ ଅଡିଓକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଛି। ଏହା ମନ୍ତ୍ରୀ ଅରୁଣ ସାହୁ ଏବଂ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତା ବୋଲି କୁହାଯାଉଛି।

arun sahuସରପଞ୍ଚଙ୍କୁ ମନ୍ତ୍ରୀ କହୁଛନ୍ତି- ଏ ଯେଉଁ କଥା ଗୁଡ଼ିକ କରାଉଛୁ ଭଲ କରାଉଛୁ ତ ? ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍ ଅଛି। ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍‌ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ। ମୁଁ ଏତେ ଖରାପ ନୁହେଁ ଯେ ମୁଁ କାହା କଥାରେ ଡାଇଭର୍ଟ ହେବି।’

ଏହି ଭାଇରାଲ୍ ଅଡିଓର ସତ୍ୟତା ଯାଞ୍ଚ କରିବା ଆମ ପକ୍ଷେ ସମ୍ଭବ ନୁହେଁ। 

ନୟାଗଡ଼ର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ଓ ନାରାବାଜି କରିଥିଲେ। ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ମହିଳା ମୋର୍ଚ୍ଚା।

ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଏକ ଫଟୋ ଦେଖାଇ ନାରାବାଜି କରିଛନ୍ତି। ବାବୁଲି ନାଏକର ଗିରଫ ସହ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ମହିଳା ମୋର୍ଚ୍ଚା ସଦସ୍ୟା। ତେବେ ପରୀ ଘଟଣାରେ ଅରୁଣଙ୍କୁ ନେଇ ରାଜନୀତି ଜୋରସୋରରେ ଉଠିଛି ପଡିଛଇ।

ସୁର ରାଉତରାୟ

କଂଗ୍ରେସ ନେତା ସୁରଙ୍କୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୁଏ। ତେବେ ଜାଣନ୍ତୁ କେଉଁ କାରଣ ଲାଗି ଚର୍ଚ୍ଚାରେ ଥିଲେ ସୁର…

  • କଂଗ୍ରେସର ପରାଜୟ ନେଇ ବରିଷ୍ଠ ନେତା ସୁର ରାଉତରାୟ କହିଲେ-କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁ କଂଗ୍ରେସ ଉଭୟ ସିଟ୍‌ରେ ହାରିଲା

  • ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମୂହ ଆତ୍ମାହୁତି ଧମକ
  • ଏମାର ମଠ ରୁପା ଇଟା କୁଆଡ଼େ ଗଲା, ତାକୁ ଖାଇଦେଲେ: ସୁର ରାଉତରାୟ

     *‘ମୋ ସରକାର’ ଗୋଟେ ‘ଅଲାଜୁକ ସରକାର’: ସୁର ରାଉତରାୟ

     *ଅନ୍ୟ ରାଜ୍ୟରେ ଫାଇନ କମିଛି, ଓଡ଼ିଶାରେ ବି କମାଇବାକୁ ଦାବି କଲେ ସୁର ରାଉତରାୟ

     *ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ବର୍ଷିଲେ କଂଗ୍ରେସ ନେତା ସୁର ରାଉତରାୟ, କହିଲେ- ଜାତୀୟ ବ୍ୟାଙ୍କରେ ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ରଖିଲ

    *ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ପ୍ରସଙ୍ଗରେ କଂଗ୍ରେସ ନେତା ସୁର ରାଉତରାୟ କହିଲେ- ମୁଖ୍ୟମନ୍ତ୍ରୀ କ’ଣ ଆଗରୁ ଚିଟିଂ ବିଷୟରେ ଜାଣି ନଥିଲେ ?           

ଏହି ପରି ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଥିଲେ ସୁର ରାଉତ।

ତେବେ କେବଳ ଏମାନେ ନୁହେଁ ବରଂ ରାଜ୍ୟର ଟାଣୁଆ ନେତା ପ୍ରଦୀପ ମହାରଥୀ, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ପ୍ରଦୀପ୍ତ ନାୟକ, ପ୍ରମିଳା ମଲ୍ଲିକ, ମନୋହର ରାନ୍ଧାରୀ, ସମୀର ରଞ୍ଜନ ଦାସଙ୍କ ସମେତ ଅନେକ ନେତା ବେଶ ଚର୍ଚ୍ଚାରେ ଥିଲେ। 

You might also like