ନୂଆ ବର୍ଷରୁ ନୂଆ ନିୟମ: ଗାଡିରେ ଫାଷ୍ଟାଗ୍‌ ଲାଗି ନ ଥିଲେ ଗଣିବେ ଦ୍ୱିଗୁଣା ଟଙ୍କା

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲାଗିନି କି ଫାଷ୍ଟାଗ୍‌ ? ଯଦି ନା, ତା’ହେଲେ ତୁରନ୍ତ ଲଗାନ୍ତୁ ନଚେତ୍ ଜାତୀୟ ରାଜପଥ ଟୋଲ୍ ପ୍ଲାଜା ଅତିକ୍ରମ ବେଳେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। କାରଣ ନୂଆବର୍ଷରୁ ସବୁ ଯାନବାହନ ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ। ଟୋଲ୍‌ ପ୍ଲାଜାରେ ଯାନବାହନର ନିରବଚ୍ଛିନ୍ନ ଯାତାୟାତ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏମିତି ନିଷ୍ପତ୍ତି ନେଇଛି। ଯଦି ଗାଡ଼ିରେ ଫାଷ୍ଟାଗ୍ ଲାଗି ନ ଥିବ ତା’ହେଲେ ଗାଡ଼ି ଚାଳକଙ୍କୁ ଡବଲ୍ ଦେୟ ଦେବାକୁ ପଡ଼ିପାରେ।

ଜାନୁଆରୀ ପହିଲାରୁ କ୍ୟାସ୍ ପେମେଣ୍ଟରେ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ରହିବନି କୌଣସି ବ୍ୟବସ୍ଥା। ଆଉ ସବୁ ଲେନ୍ ହେବ ଫାଷ୍ଟାଗ୍ ଲେନ୍। ଫାଷ୍ଟାଗ୍ ଯୋଗୁ ଫଟାଫଟ୍ କ୍ଲିୟର ହେବ ଟ୍ରାଫିକ୍। ଫଳରେ ଯାତ୍ରୀଙ୍କ ସମୟ ବଞ୍ଚିବ, ଇନ୍ଧନ ବି ସଞ୍ଚୟ ହେବ।

ଓଡ଼ିଶାର ଜାତୀୟ ରାଜପଥ ଦେଇ ଅତିକ୍ରମ କରୁଥିବା ପାଖାପାଖି ୭୦ ଭାଗ ଯାନବାହନ ଫାଷ୍ଟାଗ୍ ବ୍ୟବହାର କରୁଛନ୍ତି। ଏପରିକି କେତେକ ଟୋଲ୍ ପ୍ଲାଜା ଦେଇ ଯାଉଥିବା ୯୦% ଗାଡ଼ିରେ ଲାଗିଛି ଫାଷ୍ଟାଗ୍। ପ୍ରାୟତଃ ସବୁ ଟ୍ରକ୍‌ରେ ଫାଷ୍ଟାଗ୍ ବ୍ୟବହାର ହେଉଛି। ନୂଆ ଗାଡ଼ିରେ ଫାଷ୍ଟାଗ୍‌ର ସୁବିଧା ଥିବାବେଳେ କେବଳ ପୁରୁଣା ଗାଡ଼ି ଗୁଡ଼ିକୁ ଫାଷ୍ଟାଗ୍ ଲଗାଇବାକୁ ପଡ଼ୁଛି ବୋଲି ଏନ୍ଏଚ୍ଏଆଇ କ୍ଷେତ୍ରୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ, ବେଳେବେଳେ ସର୍ଭର ଡାଉନ ଏବଂ ଲିଙ୍କେଜ୍ ଅସୁବିଧା ଯୋଗୁ ହଇରାଣ ହେବାକୁ ପଡୁଥିବା ଟ୍ରାନ୍ସପୋର୍ଟ ସଂଘ କହିଛି।

ଫାଷ୍ଟାଗ୍ କ’ଣ ?

ଫାଷ୍ଟାଗ୍ ହେଉଛି ଏକ ରେଡିଓ ଫ୍ରିକୁଏନସି ଆଇଡେଣ୍ଟିଫିକେସନ୍‌ ଟେକ୍ନୋଲୋଜି। ଏହି ପ୍ରିପେଡ୍‌ ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ ସ୍କ୍ରିନ୍‌ ବା ଗାଡ଼ିର ସାମ୍ନା କାଚରେ ଲାଗିବ। ଏହାକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ୍ ଗେଟ୍‌ରେ ପଇସା ଦେବା ପାଇଁ ଗାଡ଼ି ଚାଳକଙ୍କୁ ବହୁ ସମୟ ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥାଏ। ଫଳରେ ବହୁ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି ଫାଷ୍ଟାଗ୍ ‌ଲାଗିଥିଲେ ଟୋଲ୍‌ ଚାର୍ଜ ଅଟୋମେଟିକ୍‌ କଟିଯିବ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ।

ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ ବ୍ୟବସ୍ଥା ପ୍ରଚଳନ ପରଠାରୁ ଯାତାୟାତ ଅଧିକ ସରଳ ହୋଇଛି। ପୂର୍ବଭଳି ଲମ୍ବା ଲାଇନ୍ ଦେଖିବାକୁ ମିଳୁନାହିଁ। ପୂର୍ବରୁ ନଗଦ କାରବାର ଯୋଗୁ ଡେରି ହେଉଥିଲା। ଏହାସହ ଖୁଚୁରା ଫେରାଇବାକୁ ନେଇ ଲୋକମାନଙ୍କୁ ବହୁତ ଅସୁବିଧା ହେଉଥିଲା। ଏବେ ଆଉ ସେ ଝିନ୍‌ଝଟ୍‌ ନାହିଁ ବୋଲି ଟୋଲ୍ ଗେଟ୍ କର୍ମଚାରୀ କହିଛନ୍ତି।

ସେହିପରି ପୂର୍ବରୁ ଯେଉଁ ଟୋଲ୍‌ ଗେଟ୍ ପାର୍‌ ହେବାକୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା, ଏବେ ତାହା ୨ରୁ ୫ ମିନିଟ୍‌ରେ ହୋଇପାରୁଛି। ଫଳରେ ଇନ୍ଧନ ଓ ସମୟ ବଞ୍ଚୁଥିବାରୁ ଗାଡ଼ି ଚାଳକ ବି ଖୁସ୍‌।

କିନ୍ତୁ ଏବେ ବି ଓଡ଼ିଶାର ପ୍ରାୟ ୩୦ ଭାଗ ଗାଡ଼ିରେ ଲାଗିନି ଫାଷ୍ଟାଗ୍।  ଏସବୁ ଗାଡ଼ିର ମାଲିକ ଫାଷ୍ଟାଗ୍ ଲଗାଉଛନ୍ତି ନା ଫାଇନ୍‌ ଗଣୁଛନ୍ତି , ତାହା ଜାନୁଆରୀ ପହିଲାରୁ ହିଁ ଜଣାପଡ଼ିବ।

You might also like