ରାଜ୍ୟରେ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ଚିହ୍ନଟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଏହି ସୂଚନା ଦେଇଛନ୍ତି ଆରଏମ୍ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ର ପତି। ରାଜ୍ୟରେ କରୋନା ଟେଷ୍ଟିଂ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଏବେ ପ୍ରତିଦିନ ୫୦ ହଜାର ଟେଷ୍ଟ କରାଯିବ। ଗଂଜାମରେ ସେରୋସର୍ଭେ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଗଂଜାମରେ ସଂକ୍ରମଣ ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବାବେଳେ କମ ପଜିଟିଭ ଆସୁଛି, ଯାହା ରାଜ୍ୟ ପାଇଁ ଭଲ ସୂଚନା ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଗକୁ ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ୫୦ ହଜାର ଟେଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଟେଷ୍ଟିଂ ବଢ଼ାଇବାକୁ ଅଧିକ ଆଣ୍ଟିଜେନ ବେସ୍ଡ ଟେଷ୍ଟିଂ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟର ୬ ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପ୍ରତି ଜିଲ୍ଲାକୁ ଟେଷ୍ଟିଂ ପାଇଁ ଆଣ୍ଟିଜେନ ଟେଷ୍ଟ କିଟ୍ ପଠାଯିବ। ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ୍ କରାଯାଇପାରିବ। ଏଥିପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଅଧିକାଂଶ କମ୍ପାନୀ କିଟ୍ ପ୍ରସ୍ତୁତ କରୁଥିବାରୁ କିଟ୍‌ର ଅଭାବ ରହିବ ନାହିଁ। ତେବେ ଭ୍ୟାକ୍ସିନ ପ୍ରସଙ୍ଗରେ ILS ନିର୍ଦ୍ଦେଶକ କହିଛନ୍ତି, ଦେଶର ବିଭିନ୍ନ ସଂସ୍ଥା ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆର ଅନୁମୋଦନ ପରେ ବ୍ୟବହାର କରାଯିବ।

You might also like